ବ୍ରହ୍ମଗିରି: ପୁରୀ ବ୍ରହ୍ମଗିରି ଥାନା ଅଧୀନ ସାହୁପଡ଼ା ଗ୍ରାମରେ ଅଘଟଣ । ପ୍ରେମିକା ଘରେ ଫ୍ୟାନରେ ଝୁଲି ପଡ଼ିବା ପରେ ପ୍ରେମିକର ଘଟିଛି ମୃତ୍ୟୁ । ତେବେ ପ୍ରେମିକର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଥିବା ବେଳେ ଥାନାରେ ପ୍ରେମିକା ପରିବାରର 5 ଜଣଙ୍କୁ ଅଟକ ରଖିଛି ପୋଲିସ ।
ସାହୁପଡା ଗ୍ରାମର ରାଜକିଶୋର ବିଶ୍ବାଳଙ୍କ ପୁଅ ସୂର୍ଯ୍ୟକାନ୍ତ ଓ ଉକ୍ତ ଗ୍ରାମର ଶଙ୍କର ବେହେରାଙ୍କ ଝିଅ ପରସ୍ପରକୁ ଭଲ ପାଇ ଆସୁଥିଲେ। ଏଥିରେ ଝିଅର ପରିବାର ଲୋକେ ବିରୋଧ କରୁଥିଲେ । ଗତକାଲି(ବୁଧବାର) ସୂର୍ଯ୍ୟଙ୍କୁ ଝିଅ ପରିବାର ଲୋକେ ଘରକୁ ଡାକିଥିଲେ। ସୂର୍ଯ୍ୟର ପରିବାର ଲୋକେ ପୁଅକୁ ନ ପାଇ ଖୋଜାଖୋଜି କରିଥିଲେ। ମାତ୍ର ସେ ପ୍ରେମିକା ଘର ଭିତରେ ଫ୍ୟାନରେ ଝୁଲୁଥିବା ବେଳେ ତାଙ୍କର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ଝିଅ ପରିବାର ଲୋକଙ୍କୁ ଅଟକ ରଖି ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।