ପୁରୀ:ପିପିଲି ଥାନା ନୂଆଶାସନ ଗାଁରେ ଯୁବକଙ୍କୁ ବୀଭତ୍ସ ହତ୍ୟା(Young Man Brutally Killed in Pipili) । ଯୁବକଙ୍କୁ ହତ୍ୟା କରିବା ପରେ ମୁଣ୍ଡ ଗଣ୍ଡି ଅଲଗା କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ । ମଙ୍ଗଳବାର ଅପରାହ୍ନ ସମୟରେ ନୂଆଶାସନ ଉତ୍ତରସାହିରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସେବା କେନ୍ଦ୍ର ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାର ଦେଖାଯାଇଛି । ମୃତକ ହେଉଛନ୍ତି ସେହି ଗ୍ରାମର ବିଜୟ ବେହେରାଙ୍କ ୧୮ ବର୍ଷୀୟ ପୁଅ ଲିକୁନା ବେହେରା । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ବଡଭାଇ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରାକୁ ଗିରଫ କରାଯାଇଛି । ଅଭିଯୁକ୍ତ ନିଜ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ବେଳେ ପୋଲିସ୍ ଗିରଫ କରିଛି ।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ସମୟରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବାରଣ୍ଡାରେ ଲିକୁନାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ପିପିଲି SDPO ଦେବଦତ୍ତ ବରାଳ, ଆଇଆଇସିଙ୍କ ସମେତ ପୋଲିସ୍ ଟିମ୍ ସେଠାରେ ପହଞ୍ଚି ଥିଲେ ଓ ସରଜମିନ୍ ତଦନ୍ତ ଆରମ୍ଭ କରିଥିଲେ । ତେବେ ରାତି ହୋଇ ଯାଇଥିବାରୁ ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ୍ ପହଞ୍ଚି ପାରିନଥିଲା । ସକାଳୁ ଟିମ୍ ପହଞ୍ଚି ତଦନ୍ତ କରିବ ବୋଲି ପିପିଲି SDPO ଜଣାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।