ପୁରୀ: ମହାକାଶ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦେବା ପାଇଁ ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ତିନି ଦିନିଆ ବିଶ୍ବ ଅନ୍ତରୀକ୍ଷ ସପ୍ତାହ ଆରମ୍ଭ ହୋଇଥିଲା । ଯାହା ଗତକାଲି(ଶୁକ୍ରବାର) ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ମହାକାଶକୁ ଭଲପାଇବା ଓ ଜନ କଲ୍ୟାଣରେ ତାହାକୁ ବିନିଯୋଗ କରିବା । କିନ୍ତୁ ମହାକାଶକୁ ପ୍ରଦ୍ୟୁଷିତ କରିବା ନାହିଁ ।
ସେହିପରି ଅନ୍ୟପଟେ ଇସ୍ରୋର ନିର୍ଦ୍ଦେଶକ କହିଥିଲେ ଯେ, ଏ ରାଜରାଜନ ଅନ୍ତରୀକ୍ଷ ବିଜ୍ଞାନର ଅନେକ ଅଗ୍ରଗତି ଘଟିଛି । ଆମେ ପୂର୍ବରୁ ବିଫଳ ହୋଇଥିଲେ ମଧ୍ୟ ସେଥିରୁ ସଫଳତାର ସୂତ୍ର ପାଇଛୁ । ତେବେ ପୁରୀରେ ଆୟୋଜିତ ଏହି ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳନ ଅବସରରେ ହଜାର ହଜାର ଛାତ୍ରଛାତ୍ରୀ ଓ ଲୋକମାନେ ମହାକାଶ ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି । ଏହାଦ୍ୱାରା ସେମାନେ ପ୍ରଭାବିତ ହେବା ସହ ଭବିଷ୍ୟତରେ ସେମାନଙ୍କୁ ଏହା ପ୍ରେରଣା ଦେବ ବୋଲି କହିଛନ୍ତି ।
ଏଥିସହ ଇସ୍ରୋର ଉପନିର୍ଦ୍ଦେଶକ ଆର ସେନ୍ଥିଲି କୁମାର, ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପୁରୀର ଅଧ୍ୟକ୍ଷ ଅମିତାଭ ମହାନ୍ତି ପ୍ରମୁଖ ଯୋଗ ଦେଇ ଅନ୍ତରୀକ୍ଷ ବିଜ୍ଞାନ, ବୈଜ୍ଞାନିକ ଉପଲବ୍ଧି ଓ ବୈଜ୍ଞାନିକମାନଙ୍କ ସାଧନା ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିବା ବେଳେ ରାଜ୍ୟପାଳ ଇସ୍ରୋ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।