ପୁରୀ: ନ୍ୟାୟ ପାଇଁ ଶାଶୁ ଘର ଦୁଆରେ ଧାରଣାରେ ବସିଲେ ବୋହୂ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ବାଙ୍କି ମୁହାଣ ନୂଆ ସାହି ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପୁଅକୁ ଧରି ଧାରଣା ଦେଇଥିବା ମହିଳା ଜଣକ ହେଉଛନ୍ତି ଶୁଭଲକ୍ଷ୍ମୀ ପ୍ରଧାନ । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ଵାମୀ ପ୍ରହଲ୍ଲାଦ ପ୍ରଧାନ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ପତ୍ନୀ ଶୁଭଲକ୍ଷ୍ମୀ ନିଜ ପୁଅକୁ ଧରି ଶାଶୁ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ।
ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ଜିରାକନ୍ଦି ଗାଁର ଶୁଭଲକ୍ଷ୍ମୀ ପ୍ରଧାନ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ପ୍ରଧାନଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ । ବିବାହ ପରେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ଶୁଭଲକ୍ଷ୍ମୀ ୨ ମାସର ଗର୍ଭବତୀ ହୋଇଥିବା ବେଳେ ଶାଶୁ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଏଭଳିକି ଠିକ୍ ସେ ଖାଇବାକୁ ଦେଉନଥିଲେ ଶାଶୁଘର ଲୋକେ । ତେଣୁ ବାଧ୍ୟ ହୋଇ ଶୁଭଲକ୍ଷ୍ମୀ ନିଜ ବାପ ଘରକୁ ପଳାଇଥିଲେ । ମଝିରେ ମଝିରେ ଶାଶୁ ଘରକୁ ଆସୁଥିଲେ ବି ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା ।