ପୁରୀ: ପୁରୀ ଜିଲ୍ଲା ପୋଲିସକୁ ଖାତିର କରୁନି ଗ୍ରାମ୍ୟକମିଟି । ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପୋଲିସ ପଦକ୍ଷେପ ନେଲେ ସଂପୃକ୍ତ ବ୍ୟକ୍ତିର ପରିବାରକୁ ଗାଁରୁ ବାସନ୍ଦ କରୁଛି ଗ୍ରାମ୍ୟକମିଟି । ଦେଶର ଆଇନ ବ୍ୟବସ୍ଥାକୁ ଚାଲେଞ୍ଜ କରୁଛି ଗାଁ କମିଟି । ଗାଁର ମୁଷ୍ଟିମେୟ ଲୋକ ଗାଁରେ ଚଲାଇଛନ୍ତି କଙ୍ଗାରୁ କୋର୍ଟ । ଗାଁ କମିଟିର କଥା ଯିଏ ଅବମାନନା କରୁଛି ତାକୁ ଏବଂ ସେହି ପରିବାରକୁ ଗାଁରୁ ବାସନ୍ଦ କରାଯାଉଛି । କେବଳ ସେତିକି ନୁହେଁ କମିଟିର ବଳରେ ବଳିୟାନ ଲୋକେ ସେପରିବାରର ଘରେ ନିଆଁ ଲଗେଇ ଦେଉଛନ୍ତି । ଗାଡି ମୋଟର ଭାଙ୍ଗି ଦେଉଛନ୍ତି । ଘର ଆଗରେ ଛେପ ପକାଉଛନ୍ତି । ଗାଁର ଯାନି ଯାତରକୁ ବାରଣ କରୁଛନ୍ତି । ଗାଁରେ ନିଆଁ ପାଣି ବାସନ୍ଦ କରୁଛନ୍ତି । ଏପରିକି ଗାଁର କୌଣସି ବ୍ୟକ୍ତି ସେ ଛୋଟ ଛୁଆ ହେଉ କି ବଡ ଏହି ପରିବାର ସହ କଥା ହେଲେ ତାକୁ ଲଣ୍ଡା ହେବାକୁ ପଡୁଛି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଉଛି ।
ଏହା ଦିନେ କି ଦୁଇ ଦିନର ନିର୍ଯାତନା ନୁହେଁ ଦୀର୍ଘ ଅଢେଇ ବର୍ଷ ହେଲା ଗାଁ କମିଟିର ନିର୍ଯାତନାରେ ଅତିଷ୍ଠ ହୋଇଗଲେଣି ଗୋଟିଏ ପରିବାର । ପୋଲିସ ପାଖରେ ଗୁହାରୀ କଲେ ମାମଲା ରୁଜୁ କରି ନିଜର ଅସହାୟତା ପ୍ରକାଶ କରୁଥିବା ଅଭିଯୋଗ କରିଛନ୍ତି ପୀଡିତା ପରିବାର । ଶେଷରେ ପୂରା ପରିବାର ଏସପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଦେବାକୁ ଗୁହାରୀ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ସଦର ଥାନା ଅନ୍ତର୍ଗତ ଧାଉଡ଼ିଆ ଗ୍ରାମରେ ।
ଅଭିଯୋଗ ଅନୁଯାୟୀ, ପୁରୀ ସଦର ଥାନା ଅନ୍ତର୍ଗତ ଧାଉଡ଼ିଆ ଗ୍ରାମର ଗୀତା ସିଂହ ତାଙ୍କ ଘରୁ ଲୁହାରଡ, ସିମେଣ୍ଟ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ତ୍ବରୀତ ପଦକ୍ଷେପ ନେଇ ଗାଁର କିଛି ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ପରେ ଗାଁର କିଛି ଲୋକ ପ୍ରତିକ୍ରିୟାଶୀଳ ହୋଇ କମିଟିରେ ଫେରାଦ କରିଥିଲେ । ଆଉ ଏହାପରେ ଗ୍ରାମ୍ୟକମିଟି ଅଭିଯୋଗକାରୀଙ୍କ କୌଣସି କଥା ନଶୁଣି କଙ୍ଗାରୁ କୋର୍ଟ ଜରିଆରେ ସଂପୃକ୍ତ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ । ଅଭିଯୋଗକାରିଣୀ ଓ ତାଙ୍କ ଭିନ୍ନକ୍ଷମ ସ୍ବାମୀଙ୍କୁ ଗାଁରେ ଏକ ଘରିକିଆ କରିଦେଲେ । ଘଟଣାକୁ ଗାଁ କମିଟିରେ ସମାଧାନ ନକରି ପୋଲିସ ପାଖକୁ ଯିବା କାରଣରୁ ଆକ୍ରୋଶ ରଖି ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ବାସନ୍ଦ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।