ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର । ଶ୍ରୀକ୍ଷେତ୍ରର ମହିମା , ବିବିଧତା, ବିଚିତ୍ରତା,ତଥା ସୌନ୍ଦର୍ଯ୍ୟ ଅନ୍ୟ କୌଣସି ଧାମରେ ପରିଲକ୍ଷିତ ହୋଇ ନଥାଏ । କ୍ଷେତ୍ରର ମହିମା ଅବର୍ଣ୍ଣନୀୟ, ଶ୍ରୀମନ୍ଦିରରେ ଅନେକ ଆଶ୍ଚର୍ଯ୍ୟ ରହିଛି ଯାହା ଶୁଣିଲେ ଗଭୀର ଭାବେ ବିସ୍ମିତ ହେବା ସହ ସ୍ତମ୍ଭୀଭୂତ କରିଦେବ । ଯେମିତିକି କୌଣସି ଭକ୍ତ ଶ୍ରୀମନ୍ଦିରର ସିଂହଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି ସେତେବେଳେ ସମୁଦ୍ରର ଗର୍ଜନ ତାଙ୍କ କାନରେ ଗୁଞ୍ଜରିତ ହୋଇ ପାରିନଥାଏ । କିନ୍ତୁ ମନ୍ଦିରୁ ବାହାରକୁ ଆସିଲା ପରେ ଖୁବ୍ ଜୋରରେ ସମୁଦ୍ରର ଗର୍ଜନ ଶୁଣାଯାଇଥାଏ । ଏହାର କାରଣ ପଛରେ କିମ୍ବଦନ୍ତୀ ଏହିପରି ରହିଛି ।
କିମ୍ବଦନ୍ତୀ ଅନୁସାରେ ସମୁଦ୍ର ଭୀଷଣ ଗର୍ଜନ ଶବ୍ଦରେ ବଡଦେଉଳରେ ବଡଠାକୁରଙ୍କ ସୁଖନିଦ୍ରା ପ୍ରତ୍ୟେହ ବାଧାପ୍ରାପ୍ତ ହେଲା । ଏହାସହ ଗୁରୁଗମ୍ଭୀର ଧ୍ବନିରେ ଭକ୍ତଙ୍କ ଭଜନ, ସ୍ମରଣ, ପୂଜାର୍ଚ୍ଚନାରେ ଘୋର ଅନ୍ତରାୟ ସୃଷ୍ଟି ହେଲା । ଏହାର ପ୍ରତିକାର ସ୍ବରୁପ ଶ୍ରୀଜଗନ୍ନାଥ ହନୁମାନଙ୍କୁ ଆଦେଶ ଦେଇଥିଲେ । ଫଳରେ ଭକ୍ତ ଶ୍ରେଷ୍ଠ ହନୁମାନ ବିଶାଳ ରୂପ ଧାରଣ ପୂର୍ବକ ସମୁଦ୍ର ଗର୍ଜନର ଭୀଷଣ ଧ୍ବନିକୁ ନିଜ ଶକ୍ତି ଦ୍ବାରା ପ୍ରତିହତ କଲେ । ଫଳରେ ସମୁଦ୍ର ଗର୍ଜନ ଶ୍ରୀକ୍ଷେତ୍ରରେ ସର୍ବତ୍ର ଶୁଣାଯାଉଥିଲେ ମଧ୍ୟ ମନ୍ଦିର ମେଘନାଦ ପ୍ରାଚୀର ଭିତରକୁ ପ୍ରବେଶ କରେ ନାହିଁ । ଏହି ହନୁମାନଙ୍କ ବିଶାଳ ଶରୀରକୁ ଭେଦ କରି ଶ୍ରୀମନ୍ଦିର ବେଢା ପରିସରକୁ ଗମ୍ଭୀର ଗର୍ଜନ ଶାନ୍ତ ପଡିଯାଏ ।
ମଧ୍ୟରାତ୍ରୀର ଶୂନଶୂାନ ପ୍ରହରରେ ମଧ୍ୟ ସମୁଦ୍ର ଗର୍ଜନ ଶ୍ରୀମନ୍ଦିର ବେଢା ଭିତରେ ସାମାନ୍ୟ ମାତ୍ର ଶୁଣାଯାଏ ନାହିଁ । ସେଥିପାଇଁ ଏହି ହନୁମାନଙ୍କୁ ଶବ୍ଦଭେଦୀ ହନୁମାନ କୁହାଯାଏ । କାଳେ ସମୁଦ୍ର ଗର୍ଜନର ଭୟଙ୍କର ଶବ୍ଦରେ କେତେବେଳେ ମହାପ୍ରଭୁଙ୍କ ନିଦ୍ରା ଓ ଶାନ୍ତିରେ ବିଘ୍ନ ସୃଷ୍ଟି ହେବ, ସେଥିପାଇଁ ଏହି ହନୁମାନ ସର୍ବଦା ସର୍ତକ ପ୍ରହରୀ ରୂପେ କାନପାତି ସଜାଗ ରହିଥାନ୍ତି । ଏହା ଫଳରେ ଏହି ଭକ୍ତଶ୍ରେଷ୍ଠଙ୍କ କାନପତା ହନୁମାନ ନାମରେ ସମ୍ବୋଧିତ ହୁଅନ୍ତି । ଅଶ୍ବଦ୍ବାର ତଥା ଦକ୍ଷିଣ ଦିଗର ରକ୍ଷକ ଏହି ହନୁମାନ ଅଟନ୍ତି ।