ନିଆଳୀ/ ପୁରୀ: ଜୁଲାଇ 21ରେ ଚକରୋଡା ଗ୍ରାମ ନିକଟରେ ନୂତନ ରାସ୍ତା ନିର୍ମାଣ ଶିଳାନ୍ୟାସକୁ ନେଇ ନିମାପଡା ବିଧାୟକଙ୍କୁ ବିରୋଧ କରାଯାଇଥଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାର 3ଦିନ ପରେ ସ୍ଥାନୀୟ ପଞ୍ଚାୟତର ସମିତି ସଭ୍ୟା ଓ ଗ୍ରାମବାସୀଙ୍କ ଉଦ୍ୟମରେ ରାସ୍ତା ତିଆରି ହେଉଥିବା ନଜରକୁ ଆସିଛି । ସରକାରୀ ଅର୍ଥ ନୁହଁ ବରଂ ନିଜ ଟଙ୍କାରେ ନିଜେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ । ହାତରେ ଫାଉଡା କୋଦାଳ ଧରି ଗ୍ରାମବାସୀ ଓ ସମିତି ସଭ୍ୟ ରାସ୍ତା ତିଆରି କରୁଛନ୍ତି ।
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଚକରୋଡା ଗ୍ରାମ ନିକଟରେ ନିର୍ମାଣ ହେଉଥିବା ରାସ୍ତାରେ ଦୀର୍ଘ ୧୮ ବର୍ଷ ହେବ ମାଟି ମୁଠାଏ ପଡ଼ିନଥିଲା । ଫଳରେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ । ଜୁଲାଇ 21 ତାରିଖ ଦିନ ବିଧାୟକ ସମୀର ରଞ୍ଜନ ଦାଶ ଏହାକୁ ଶିଳାନ୍ୟାସ କରିବାକୁ ଆସିଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ । ଏହି ସମୟରେ ଅଙ୍ଗରକ୍ଷୀ ଏବଂ ପୋଲିସ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧ ପରେ ବିଧାୟକ ସମୀର ଦାଶ ରାସ୍ତା ଶିଳାନ୍ୟାସ ନକରି ଫେରି ଯାଇଥିଲେ । ଆଜି(ସୋମବାର) ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟ ଓ ଗ୍ରାମବାସୀଙ୍କ ଉଦ୍ୟମରେ ରାସ୍ତାର ମରାମତି କାର୍ଯ୍ୟ ଚାଲିଛି ।