ପୁରୀ: ପୁରୀରେ ଜଳ ସମ୍ପଦ ବିଭାଗର ଚାଲିଛି ବ୍ୟାପକ ଦୁର୍ନୀତି । ନଦୀ ବନ୍ଧ ସୁଦୃଢ କରିବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ବଳଙ୍ଗା ଅଞ୍ଚଳରୁ । ଜିଲ୍ଲାର ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନସ୍ଥ ହରିପୁର-ସୁଆଣ୍ଡୋ ପର୍ଯ୍ୟନ୍ତ ନଦୀବନ୍ଧର ସଦୃଢ଼ୀକରଣ ହୋଇଛି । କିନ୍ତୁ ଅସରାଏ ବର୍ଷାରେ ନଦୀବନ୍ଧ ଧସିଯାଇଛି । ଫଳରେ ନଦୀବନ୍ଧ ସୁଦୃଢ଼ୀକରଣର ଦୁର୍ବଳ କାର୍ଯ୍ୟ ସାମ୍ନାକୁ ଆସିଛି । ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ପୂର୍ବରୁ ଏଇ ନଦୀବନ୍ଧରେ ଭାର୍ଗବୀ ନଦୀ ବଢ଼ି ସମୟରେ ବଡ଼ ବଡ଼ ଘଳିଆ ପଡ଼ିଥାଏ । ଯଦି ବନ୍ୟା ସମୟରେ ନଦୀରେ ଅଧିକ ପାଣି ନିଷ୍କାସନ ହୁଏ ତେବେ ଏହି ସ୍ଥାନ ବିପଦର କାରଣ ହେବା ସହିତ ନିମାପଡ଼ାର ୧୮ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ନଦୀବନ୍ଧ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ଚାଲିଥିବା ବିଷୟରେ ସମ୍ପୃକ୍ତ ଠିକାଦାରକୁ ଅଭିଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ । କାର୍ଯ୍ୟ ସମୟରେ କଳାମିଶା ପଙ୍କମାଟି ପଡ଼ୁଥିବା ଓ ନିମ୍ନମାନର ଗାର୍ଡୱାଲ ନିର୍ମାଣ ନେଇ ଅଭିଯୋଗ ହୋଇଥିଲା । ସେ ସମୟରେ ଯଦି ଠିକ୍ ଭାବରେ କାର୍ଯ୍ୟ ହୋଇଥାନ୍ତା ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି ।
ଏ ସମ୍ପର୍କରେ ନିମାପଡ଼ା ଅଧୀକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳାଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଆସନ୍ତାକାଲି ଆମେ ବନ୍ଧ ପରିଦର୍ଶନ କରିବୁ । ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ।