ପୁରୀ/ଭୁବନେଶ୍ବର: ଖୁବଶୀଘ୍ର ଓଡିଶାରେ ଗଡିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପୁରୀରୁ ତାଳଚେର ମଧ୍ୟରେ ଏହା ଚଳାଚଳ କରିବ । ଏହା ପୂର୍ବରୁ ଆଜି ଟ୍ରେନର ଟ୍ରାଏଲ ରନ ଆରମ୍ଭ ହୋଇଛି । ପୁରୀ ରେଳ ଷ୍ଟେସନରୁ ସକାଳ 9ଟା 30 ମିନିଟରେ ବାହାରିଥିବା ବେଳେ ମଧ୍ୟାହ୍ନ 12ଟା 30 ମିନିଟ ସମୟରେ ଏହା ତାଳଚେରରେ ପହଞ୍ଚିବ । ପୁରୀରୁ ବାହାରିବା ପରେ ଭୁବନେଶ୍ୱର ରେଳ ଷ୍ଟେସନରେ 10ଟା 30ରେ ପହଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏଠାରେ 2 ମିନିଟ ରହଣି ପରେ କଟକ ରେଳ ଷ୍ଟେସନରେ 11ଟାରେ ପହଞ୍ଚିଥିଲା । ଏହାପରେ ଢେଙ୍କାନାଳ ଅଭିମୁଖେ ବାହାରିଛି । ସେଠାରେ 11ଟା 45 ମିନିଟରେ ପହଞ୍ଚିବ । 12ଟା 30ମିନିଟରେ ତାଳଚେର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପହଞ୍ଚିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଓ ତାଳଚେରକୁ ଏହି ଟ୍ରେନ ଯୋଡ଼ିବ ।
ଚଳିତବର୍ଷ ମେ 18 ତାରିଖରେ ରାଜ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା । ପୁରୀ ରେଳ ଷ୍ଟେସନରେ ଯାହାକୁ ଭର୍ଚ୍ଚୁଆଲ ମୋଡ଼ରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ସେମି ହାଇସ୍ପିଡ ଟ୍ରେନଟି ପୁରୀରୁ ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ସେତେବେଳେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପକ୍ଷରୁ କେତେକ ଦାବି ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ । ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦ।