ପୁରୀ: ମାନସିକ ପୂରଣ ହେଲା । ଶ୍ରୀକ୍ଷେତ୍ର ଆସି ଶ୍ରୀଜିଉଙ୍କୁ ଦର୍ଶନ କଲେ ଉତ୍ତରାଖଣ୍ଡ ମାନସିକଧାରୀ ଭକ୍ତ । ଏହାସହ ପତ୍ନୀଙ୍କ ମାନସିକ ପୂରଣ ହୋଇଥିବାରୁ ବିଶ୍ବନିୟନ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରାୟ 9 ଲକ୍ଷ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ସମର୍ପଣ କରିଛନ୍ତି ଉତ୍ତରାଖଣ୍ଡରୁ ଆସିଥିବା ଭକ୍ତ ।
ଉତ୍ତରାଖଣ୍ଡ ବାସିନ୍ଦା ମହାପ୍ରଭୁଙ୍କ ଭକ୍ତ ଦିଲବାଗ ସିଂ କହିଛନ୍ତି, "ମୋ ପାଖରେ ମହାପ୍ରଭୁଙ୍କୁ ଦେବାକୁ କିଛି ନାହିଁ । ମହାପ୍ରଭୁଙ୍କୁ ଦେବାକୁ ମୁଁ କିଏ ? ଦାରୁବ୍ରହ୍ମ ଜଗନ୍ନାଥ ମତେ ଯାହା ଦେଇଥିଲେ ତାହାକୁ ମୁଁ ମହାପ୍ରଭୁଙ୍କୁ ସମର୍ପଣ କରୁଛି । ଭଗବାନଙ୍କୁ ଦାନ ଦେବାକୁ ଆମେ କିଏ ? ସବୁ ପ୍ରଭୁ ଆମକୁ ଦେଇଛନ୍ତି । ଆମେ ତାଙ୍କୁ ତାଙ୍କର ଦେଇଥିବା ପ୍ରସାଦକୁ ସମର୍ପଣ କରୁଛୁ ।" ସେହିପରି କହିଛନ୍ତି ଆମର ଏକ ସୁନା ଦୋକାନ ରହିଛି । ମହାପ୍ରଭୁଙ୍କ ନିକଟରେ ପତ୍ନୀଙ୍କ ମାନସିକ ଥିଲା । ପୂରଣ ହୋଇଛି । ଆମେ କିଛି ଦେଇନାହୁଁ । ଯାହା ପ୍ରଭୁ ଦେଇଥିଲେ ତାହାକୁ ସମର୍ପଣ କରୁଛୁ ।