ପୁରୀ: ଆସାଧୁ ବ୍ୟବସାୟୀଙ୍କ ବେଆଇନ କାର୍ଯ୍ୟ ଯୋଗୁଁ ଏବେ ଚିନ୍ତାରେ ପାରମ୍ପରିକ ମତ୍ସ୍ୟଜୀବୀ । ବାହାର ରାଜ୍ୟର ବ୍ୟବସାୟୀ ଏବଂ ମାଛ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୁରୀର ହଜାର ହଜାର ପାରମ୍ପରିକ ମତ୍ସ୍ୟଜୀବୀ ଜୀବିକା ହରାଇବା ଚିନ୍ତାରେ । ଫଳରେ ସେମାନେ ସରକାରୀ ନିୟମର ଉଲ୍ଲଘଂନ କରି ପାରମ୍ପରିକ ଜାଲ ପରିବର୍ତ୍ତେ ପରିବେଶ ଉପରେ ଖରାପ ପ୍ରଭାବ ପକାଉଥିବା ଅତ୍ୟାଧୁନିକ ଜାଲ ସମୁଦ୍ରରେ ବ୍ୟବହାର କରୁଛନ୍ତି । ଏହାଦ୍ବାରା ବେଆଇନ୍ ଭାବେ ବିପୁଳ ପରିମାଣର ମାଛ ଧରାଯାଉଥିବା ଯୋଗୁଁ ସମୁଦ୍ର ଉପକୂଳରେ ଏବେ ମାଛର ଘୋର ଅଭାବ ଦେଖାଯାଇଛି । ଯାହା ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ଜୀବିକା ଛଡାଇବାକୁ ବସିଲାଣି । ତେବେ ତୁରନ୍ତ ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବାଧ୍ୟ ହୋଇ ଜୀବିକା ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବେ ବୋଲି କହିଛନ୍ତି ମତ୍ସ୍ୟଜୀବୀ।
ପୁରୀ ବଳିଆପଣ୍ତା ଅଞ୍ଚଳରେ ରହୁଛନ୍ତି ହଜାର ହଜାର ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ମାରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ପୂର୍ବଭଳି ସମୁଦ୍ରରେ ସ୍ବାଭାବିକ ପରିମାଣରେ ମାଛ ଜାଲରେ ପଡ଼ୁନଥିବା ବେଳେ ଏହାକୁ ନେଇ ଚିନ୍ତାରେ ଏହି କ୍ଷୁଦ୍ର ମତ୍ସ୍ୟଜୀବୀ ମାନେ। ନିଜର କୌଳିକ ବୃତ୍ତି ହରାଇ ସେମାନେ ଏବେ ଦାଦନ ମୁହାଁ ହେବା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ମୁଖ୍ୟ କାରଣ ହେଉଛନ୍ତି କିଛି ଅସାଧୁ ମାଛ ବ୍ୟବସାୟୀ ଓ ମାଛ ମାଫିଆ।