ଓଡିଶା

odisha

ETV Bharat / state

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ - ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟଟକଙ୍କ କୌଣସି ପତ୍ତା ମିଳି ନଥିବା ବେଳେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ଅଧିକ ପଢ଼ନ୍ତୁ

tourist drown in puri sea beach
ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

By

Published : Jul 29, 2023, 4:57 PM IST

Updated : Jul 29, 2023, 5:10 PM IST

ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟଟକଙ୍କ କୌଣସି ପତ୍ତା ମିଳିପାରିନାହିଁ । ନିଖୋଜ ପର୍ଯ୍ୟଟ ଜଣକ ହେଉଛନ୍ତି ବାଲେଶ୍ଵର ଗୋପାଳପୁରର ସଞ୍ଜୟ କୁମାର ଜେନା । ଆଜି (ଶନିବାର) ଦିନ ୧୧ଟାରେ ସଞ୍ଜୟ ନିଜର ସାଙ୍ଗମାନଙ୍କ ସହ ଚୈତନ୍ୟ ଛକ ନିକଟ ସମୁଦ୍ରକୂଳ ସେକ୍ଟର ୮ ଓ ୯ ମଝିରେ ଗାଧୋଉଥିଲେ । ହଠାତ୍ ଉଚ୍ଚ ଲହଡ଼ି ଆସିବା ଯୋଗୁଁ ଏବଂ ସମୁଦ୍ରରେ ଥିବା ରିପ୍ କରେଣ୍ଟ ପାଇଁଁ ସଞ୍ଜୟ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସମୁଦ୍ର ଭିତରକୁ ଯାଇ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଞ୍ଜୟଙ୍କର କୌଣସି ପତ୍ତା ପାଇନଥିଲେ । ବର୍ତ୍ତମାନ ସୁଦ୍ଧା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଛି । ଏହି ଘଟଣା ନେଇ ସଞ୍ଜୟଙ୍କ ବନ୍ଧୁମାନେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ:ଅସୁରକ୍ଷିତ ପୁରୀ ସମୁଦ୍ରକୂଳ ! ଦୁଇଦିନ ଭିତରେ ଗଲାଣି ଚାରି ଜୀବନ


ସେପଟେ ସମୁଦ୍ରରେ ପର୍ଯ୍ୟଟକଙ୍କ ବୁଡ଼ି ଯାଇ ନିଖୋଜ ହେବା ଘଟଣା ପୁଣି ପୁରୀ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବକୁ ପଦାରେ‌ ପକାଇଛି । ବାରମ୍ବାର ସମୁଦ୍ରରେ ରିପ୍ କରେଣ୍ଟ ଏବଂ ଉଚ୍ଚ ଲହଡ଼ି ଯୋଗୁଁ ପର୍ଯ୍ୟଟକଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସଚେତନତା ପାଇଁ ବେଳାଭୂମିରେ କୌଣସି ସଚେତନତା ବାର୍ତ୍ତା ତଥା ସୂଚନା ଫଳକ ନାହିଁ । ଏନେଇ ଲାଇଫ ଗାର୍ଡ ମହାସଂଘ ମୁଖ୍ୟ ପରାମର୍ଶଦାତା କହିଛନ୍ତି, "ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ଲାଇଫ ଗାର୍ଡଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉନାହିଁ । ସେହିପରି ଅନେକ ଆଧୁନିକ ଉପକରଣ ପ୍ରଶାସନ ପାଖରେ ବର୍ତ୍ତମାନ ଉପଲବ୍ଧ ଥିବାବେଳେ ଏଗୁଡିକୁ ଜିଲ୍ଲା ପ୍ରଶାସନ ଲାଇଫ ଗାର୍ଡଙ୍କୁ ଯୋଗାଉ ନାହିଁ । ଦିଗବାରେଣି ଛକରୁ ଚୈତନ୍ୟ ଛକ ଯାଏଁ ଅଧିକାଂଶ ସମୟରେ ସମୁଦ୍ରରେ ରିପ୍ କରେଣ୍ଟ ରହୁଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି । ପୁରୀ ବେଳାଭୂମିର କଳେବର ଏବେ ବଢ଼ି ୮ କିଲୋମିଟର ହୋଇଛି ।" ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଅଧିକ ସଂଖ୍ୟକ ଲାଇଫ ଗାର୍ଡ ନିଯୁକ୍ତି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।



ସୂଚନା ଅନୁଯାୟୀ, ଗତ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ମୋଟ ୪୧ ଜଣ ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ବେଳେ ମୃତ୍ୟୁ ହୋଇଛି। ସେହିପରି ସମୁଦ୍ରରେ ବୁଡ଼ି ଯାଉଥିବା ଅବସ୍ଥାରେ ୩ ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ପୁରୀକୁ ଆନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଉଥିବା ବେଳେ ସୁରକ୍ଷିତ ସମୁଦ୍ର ସ୍ନାନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

Last Updated : Jul 29, 2023, 5:10 PM IST

ABOUT THE AUTHOR

...view details