ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶାରଦୀୟ ଦୁର୍ଗାପୂଜା ନିଆରା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ର ପୀଠାଧିଶ୍ବରୀ ମା' ବିମଳା ପରମ୍ପରାକୁ ନେଇ ଶାରଦୀୟ ଦୁର୍ଗାପୂଜା ତଥା ଗୋଶାଣୀ ପୂଜା ଅନୁଷ୍ଠିତ ହୋଇଥାଏ ।
ତେବେ ଆଜି(ରବିବାର) ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶମୀ ତିଥି ପାଳନ ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଦେବୀଙ୍କର ବିଶ୍ରାମ ଦିନ । ପରମ୍ପରା ଅନୁଯାୟୀ ମହାନବମୀ ନୀତି ପରେ ଶ୍ରୀକ୍ଷେତ୍ରରେ ଦେବୀ ମା'ଙ୍କର ବିଶ୍ରାମ ଦିବସ ଭାବେ ପାଳନ କରାଯାଏ ।
ତେଣୁ ମା ବିମଳାଙ୍କ ପରମ୍ପରାକୁ ନେଇ ପୁରୀ ସହରରେ ଥିବା ଦେବୀପୀଠ ତଥା ବାରବାଟୀ, ଜନହି ଖାଇ, ଗେଲ ବାଇ, ବନଦୁର୍ଗା, ଚକ୍ରକୋଟ, ପଣାପ୍ରିୟା ଠାକୁରାଣୀଙ୍କ ଠାରେ ଆଜି ବିଶ୍ରାମଦିବସ ଆସନ୍ତାକାଲି(ସୋମବାର) ବିଜୟା ଦଶମୀ ପାଳନ କରାଯିବ ।
ସେହିପରି ବିଜୟା ଦଶମୀରେ ଚତୁର୍ଦ୍ଧାମୂରତି ରତ୍ନସିଂହାସନରେ ରାଜ ରାଜେଶ୍ବର ବେଶ ତଥା ସୁନାବେଶ ଧାରଣ କରିବେ । ଅନ୍ୟପଟେ ଆଜି ପୂଜାମଣ୍ଡପରେ ପୂଜା ପାଉଥିବା ମୂଣ୍ମୟୀ ମୂର୍ତ୍ତିଙ୍କର ମହାନବମୀ ପାଳନ କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ