ଓଡିଶା

odisha

By

Published : Feb 2, 2023, 10:19 AM IST

Updated : Feb 2, 2023, 12:37 PM IST

ETV Bharat / state

ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ସେବନ ଉପରେ ପୁଣି ଲାଗିଲା କଟକଣା

ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ସେବନ ଉପରେ ରୋକ୍ । ପାନ, ଗୁଟଖା ସେବନ କରୁଥିବା ବ୍ୟକ୍ତି ଉପରେ ଲାଗିବ କଡା କଟକଣା ।

ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ସେବନ ଉପରେ ରୋକ୍
ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ସେବନ ଉପରେ ରୋକ୍

ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ସେବନ ଉପରେ ପୁଣି ଲାଗିଲା କଟକଣା

ପୁରୀ: ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ସେବନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଏବେ ମହଙ୍ଗା ପଡ଼ିବ । ସେ ସେବାୟତ ହୁଅନ୍ତୁ କିମ୍ବା ଭକ୍ତ, ପୋଲିସ ହୁଅନ୍ତୁ କି ଶ୍ରୀମନ୍ଦିର କର୍ମଚାରୀ । ଏଣିକି ପାନ, ଗୁଟଖା କିମ୍ବା ନିଶା ଦ୍ରବ୍ୟ ଶ୍ରୀମନ୍ଦିର ଭିତରେ ସେବନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏନେଇ କଡ଼ା ନିର୍ଦ୍ଦେଶ ଦେଇଥିବାବେଳେ ଗତକାଲି(ବୁଧବାର) ଠାରୁ ଏହାକୁ ପୁଣିଥରେ କାର୍ଯ୍ୟକାରୀ କରାଯାଇଛି ।

ଗତ ୨୦୨୨ ଅଗଷ୍ଟ ୧ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ଖାଇବା ଓ ପାନ ପିକ ପକାଇବା ଉପରେ ସମସ୍ତଙ୍କ ଉପରେ କଟକଣା ଜାରି କରାଯାଇଥିଲା । ନିୟମ ଉଲ୍ଲଙ୍ଘନ କାରୀଙ୍କୁ ୧୦୦ ଟଙ୍କା ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ ଗତବର୍ଷ ଏହି କଟକଣା ଲାଗିବାର କିଛି ଦିନ ପରେ ଏହାକୁ କେହି ମାନିନଥିଲେ । ଖୋଦ୍ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ ତଥା ଜେଟିପି ଏବଂ ଓଡ଼ିଶା ପୋଲିସ ପକ୍ଷରୁ ଏହାକୁ କଡାକଡି ଭାବେ ଚେକିଂ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାର ସଠିକ୍ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦିଆଯାଇନଥିଲା । କେବଳ ଭକ୍ତଙ୍କୁ ଛାଡି ଶ୍ରୀମନ୍ଦିର ଭିତରେ ଜେଟିପି, ସେବାୟତ, ଶ୍ରୀମନ୍ଦିର ଓ ପୋଲିସ କର୍ମଚାରୀମାନେ ଖୁଲମଖୁଲା ପାନ, ଗୁଟଖା ସେବନ କରୁଥିବା ଅଭିଯୋଗ ହେଉଥିଲା ।

ତେବେ ଜିଲ୍ଲାପାଳ ଯୁବ ସେବାୟତଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ସେବନ ଯେଭଳି ନିଷିଦ୍ଧ ହେବ ସେନେଇ ନିଷ୍ପତ୍ତି ହୋଇଛି । ସେପଟେ ଶ୍ରୀମନ୍ଦିର ଭିତରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ସେବାୟତ । ଭାରତର ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ୍ ହେଉଛି ଅନ୍ୟତମ । ଏଣୁ ଶ୍ରୀମନ୍ଦିର ଆଭ୍ୟନ୍ତରରେ ପରିଷ୍କାର, ପରିଚ୍ଛନ୍ନ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବେଶ୍ ଗୁରୁତ୍ବ ଦିଆଯାଉଛି ।

ହେଲେ ଦୁର୍ଭାଗ୍ୟର ବିଷୟ ବାଡ଼ ଫସଲ ଖାଇଲା ଭଳି କିଛି ସେବାୟତ, ଜେଟିପି ଓ ଶ୍ରୀମନ୍ଦିର ଓ ପୋଲିସ କର୍ମଚାରୀ ଏହି ନିୟମ ମାନୁ ନାହାଁନ୍ତି । ଶ୍ରୀମନ୍ଦିରର ବିଭିନ୍ନ କୋଣ, ପାହାଚ କଡ଼, ଆନନ୍ଦ ବଜାର, ଭିତର ଓ ବାହାର ବେଢ଼ା, ରୋଷଘର ବାହାରେ ପୁଳା ପୁଳା ପାନଛେପ ପଡି ରହିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଭିତରେ ଏଭଳି ଅପରିଷ୍କାର ପରିବେଶ ନେଇ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।‌ ଜିଲ୍ଲାପାଳ ନେଇଥିବା ପଦକ୍ଷେପକୁ ଭକ୍ତ ଓ ଜଗନ୍ନାଥ ପ୍ରେମୀ ସ୍ବାଗତ କରିଛନ୍ତି ।

ସେପଟେ କେହି ବି ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ସେବନ କରୁଥିବା ଦେଖାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଭାରତର ବିଭିନ୍ନ ତୀର୍ଥସ୍ଥଳୀ ଗୁଡ଼ିକରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରଖିବା ପାଇଁ ଧର୍ମ ସ୍ଥଳୀ ଗୁଡିକୁ ପରିଷ୍କାର ପରିଚ୍ଛନ୍ନତା ରଖାଯାଇଛି । ତେବେ ଶ୍ରୀମନ୍ଦିର ପରିସରକୁ ମଧ୍ୟ ପରିଷ୍କାର, ପରିଚ୍ଛନ୍ନତା ରଖିବା ପାଇଁ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ, ଜେଟିପି ଓ ପୋଲିସ ମାନଙ୍କର ଗୁରୁ ଦାୟିତ୍ବ ରହିଛି ବୋଲି ଭକ୍ତ ମାନେ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Feb 2, 2023, 12:37 PM IST

ABOUT THE AUTHOR

...view details