ଓଡିଶା

odisha

ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Tight Security In Puri Srimandir For New Year : ଦିନକ ପରେ ବିଦାୟ ନେବ 2023 । ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ହେବ ପ୍ରବଳ ଗହଳି । ଭକ୍ତମାନେ ଯେଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 31, 2023, 7:28 PM IST

Published : Dec 31, 2023, 7:28 PM IST

ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼
ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼

ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ: ବିଦାୟ ନେଉଛି 2023 । ପ୍ରବେଶ କରିବ ନୂଆବର୍ଷ 2024 । ନୂଆବର୍ଷକୁ ନେଇ ଲୋକଙ୍କ ମନରେ ଅନେକ ଆଶା ଆକାଂକ୍ଷା ରହିଛି । ତେବେ ନୂଆବର୍ଷ ସୁଖ ସମୃଦ୍ଧି ପୂର୍ଣ୍ଣ ହେଉ, ଜୀବନର ଉନ୍ନତି ଆହୁରି ହେଉ ବୋଲି ଭକ୍ତମାନେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି । ନୁଆ ବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଜୀବନର ଗତିକୁ ଆଗକୁ ନେବା ପାଇଁ ପୁରୀରେ ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସୁଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ସୁଖ ସମୃଦ୍ଧି କାମନା କରୁଛନ୍ତି । ତେବେ ଭକ୍ତମାନେ ଯେଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ନୂଆବର୍ଷକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖାଯାଇ ମହାପ୍ରଭୁଙ୍କ ନିତୀକାନ୍ତିକୁ ଶୃଙ୍ଖଳିତ କରାଯାଇଛି । ରାତ୍ର 11ଟାରେ ମହାପ୍ରଭୁ ରାତ୍ର ପହୁଡ଼ କରାଯିବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିଛି । ରାତ୍ର 1ରୁ ନୁଆ ବର୍ଷ ଦର୍ଶନ ଆରମ୍ଭ ହେବ । ଭକ୍ତଙ୍କ ଦର୍ଶନ ସୁବିଧା ପାଇଁ ମହାପ୍ରଭୁଙ୍କ ପହୁଡ଼ ନୀତିକୁ ସଙ୍କୁଚିତ କରାଯାଇଛି । ଆଜି ରାତିରୁ ନୁଆ ବର୍ଷ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ । ସେପଟେ ଭକ୍ତ କହିଛନ୍ତି ଯେ, କାଳିଆ ସାଆନ୍ତ ହେଉଛନ୍ତି ବିଶ୍ବ ବିଧାତା । ତାଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ସବୁ ସଫଳ ହୋଇଥାଏ । ତେଣୁ ନୂଆବର୍ଷ ନିଜ ପରିବାରର ମଙ୍ଗଳ ହେବା ସହ ସାରା ବିଶ୍ଵ ପାଇଁ ମଙ୍ଗଳମୟ ହେଉ ବୋଲି ଭକ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।

ଅନ୍ୟପକ୍ଷେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପାଇଁ ନିର୍ମାଣ ହୋଇଥିବା ନୁଆ ଏସି ସେଡ ପାଥୱେକୁ କାର୍ଯ୍ୟକ୍ଷମ କରାଯାଇଛି । ଭକ୍ତମାନେ ଏସି ଲାଗିଥିବା ବାରିକେଡରେ ଆସିବେ । ବାରିକେଡରେ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ନୀତି ପାଇଁ ଦର୍ଶନ ବନ୍ଦ ଥିଲେ ଏସି ସେଡରେ ଭକ୍ତ ବସି ବିଶ୍ରାମ ନେଇ ପାରିବେ । ତେବେ ପୋଲିସର ସୁଚନା ଅନୁଯାୟୀ, ନୁଆ ବର୍ଷ ପାଇଁ 4 ରୁ 5 ଲକ୍ଷ ଲୋକ ପୁରୀକୁ ଆସିବେ । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ପୁରୀ ସହରରେ ସୁରକ୍ଷା ପାଇଁ 82 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ନୁଆ ବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେବେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂହଙ୍କ ସୂଚନା ଅନୁଯାୟୀ, ପୁରୀ ପୋଲିସ ସବୁ ଭକ୍ତ ଓ ପର୍ଯ୍ୟଟକଙ୍କୁ ପୁରୀକୁ ସ୍ବାଗତ କରୁଛନ୍ତି । ସମସ୍ତଙ୍କ ସୁରକ୍ଷା ପୋଲିସର ପ୍ରାଥମିକ କର୍ତ୍ତବ୍ୟ । ନୁଆବର୍ଷ ପାଇଁ କେତେକ କଟକଣା ରହିବ । ପୁରୀ ବାସିନ୍ଦା କିଭଳି ଯାତାୟତରେ ଅସୁବିଧା ଭୋଗିବେ ନାହିଁ ତାକୁ ପୋଲିସ ଗୁରୁତ୍ଵ ଦେଉଛି । ପୁରୀ ବାସିନ୍ଦାଙ୍କ ଯାତାୟତ ନେଇ କୌଣସି ଟ୍ରାଫିକ କଟକଣା ନାହିଁ । ବଡ଼ଦାଣ୍ଡର ମର୍ଚି କୋଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ଯାନନବାହନ ନିଶେଦ୍ଧାଞ୍ଚଳ ହେବ । ସେହିପରି ସି ବିଚ୍ ରୋଡ଼ରେ ଲାଇଟ ହାଉସ ଠାରୁ ସମୁଦ୍ର କୂଳ ଥାନା ପର୍ଯ୍ୟନ୍ତ ନୋ ଭେଇକିଲ ଜୋନ୍ ହେବ । 31 ତାରିଖ ରାତି 12 ଟାରୁ ଜାନୁଆରୀ 2 ତାରିଖ ରାତି 12 ଟା ପର୍ଯ୍ୟନ୍ତ ଟ୍ରାଫିକ ରେଗୁଲେଶନ ଲାଗୁ ହେବ । ପୁରୀକୁ ଆସୁଥିବା ଟୁରିଷ୍ଟ ବସ୍‌ ମାଳତୀ ପାଟପୁର ବସଷ୍ଟାଣ୍ଡରେ ରହିବ । ଯାତ୍ରୀବାହୀ ବସ ସାଧାରଣ ଭାବେ ପୁରୀ ବସ ଷ୍ଟାଣ୍ଡକୁ ଚଳାଚଳ କରିବ । ହାଲୁକା ଯାନ ତଥା ଚାରି ଚକିଆ ଗାଡ଼ି ଜେଲ ରୋଡ଼, ଜଗନ୍ନାଥ ବଲ୍ଲଭ, ଯାତ୍ରିକା ପାର୍କିଂ ସହ ଗୁଣ୍ଡିଚା ମନ୍ଦିର ନିକଟରେ ପାର୍କିଂ କରିବେ ।

ଏହା ମଧ୍ୟ ପଢ଼ନ୍ତୁ....ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସର ପ୍ରସ୍ତୁତି; ବଡଦାଣ୍ଡ ହେବ ନୋ ଭେଇକିଲ୍ ଜୋନ

ସେହିପରି ଭୁବନେଶ୍ଵରରୁ ପୁରୀ ଆସୁଥିବା 4 ଚକିଆ ଗାଡ଼ି ପୁରୀକୁ ଅଠରନଳା ଦେଇ ଆସିବେ । କିନ୍ତୁ ଟ୍ରାଫିକ ଭିଡ଼ ହେଲେ ହରେକୃଷ୍ଣପୁର ଛକରୁ ଟ୍ରାଫିକ ଡାଇଭର୍ସନ୍ ଲାଗୁ ହେବ । ଦୁଇ ଚକିଆ ଗାଡ଼ିକୁ ବଡ଼ ଦାଣ୍ଡ ପର୍ଯ୍ୟନ୍ତ ଅନୁମତି ରହିବ । ମାର୍କେଟ ଛକରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ପାର୍କିଂ ହେବ । ପୁରୀ ବିଚ୍‌ରେ ପର୍ଯ୍ୟଟକଙ୍କ ଭିଡ଼କୁ ନିୟନ୍ତ୍ରଣ ପାଇଁ 4 ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । 9ଟି ସେକ୍ଟରରେ ବିଭକ୍ତ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ବିଚ୍‌ରେ 4ଟି ପୋଲିସ ସହାୟତା କେନ୍ଦ୍ର, 2ଟି ମେଡ଼ିକାଲ କ୍ୟାମ୍ପ୍‌ ରହିବ । ଅଗ୍ନିଶମ ବାହିନୀ ଲାଇଫ୍‌ ଗାର୍ଡ ସହ ମୁତୟନ ରହିବେ । ଜିରୋ ନାଇଟ୍‌ ସେଲିବ୍ରେସନ୍ ପାଇଁ ସବୁ ଗାଇଡଲାଇନ୍ ମାନିବାକୁ ହୋଟେଲମାନଙ୍କୁ କୁହାଯାଇଛି । ସବୁ ହୋଟେଲ୍‌ରେ ସିସିଟିଭି ଲଗାଇବାକୁ କୁହାଯାଇଛି । ହୋଟେଲ ଗୁଡ଼ିକରେ ଟୁରିଷ୍ଟ ହେଲ୍ପ ଲାଇନ୍‌ ନମ୍ୱର୍ ରହିବ । କୌଣସି ଅସୁବିଧା ହେଲେ ପର୍ଯ୍ୟଟକମାନେ ପୋଲିସର ସହାୟତା ନେବାକୁ ଆଇଜି ସୁଚନା ଦେଇଛନ୍ତି । ନୁଆ ବର୍ଷ ରାତିରେ ଗାଡ଼ି ଚେକ୍‌ ହେବ । ମଦ୍ୟପାନ କରି ଗାଡ଼ି ଚଲାଇବା ନଜରକୁ ଆସିଲେ କାର୍ଯ୍ୟନୁଷ୍ଠାନ ହେବ । ତେବେ ଭକ୍ତ ଓ ପର୍ଯ୍ୟଟକ ପୋଲିସକୁ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ନିବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details