ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମହାରଣା, ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ । ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ରହିଛି ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେଣୁ ଚଳିତ ବର୍ଷର ମହାପ୍ରଭୁଙ୍କ ତିନଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏକ ମ୍ୟୁଜିୟମରେ ରଖିବା ନେଇ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।
ତେବେ ବିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଙ୍ଗାଯିବ । ଭଙ୍ଗାଯିବା ପରେ ଯେତିକି ଅଂଶ ସଂରକ୍ଷିତ ରଖାଯାଇ ପାରିବ ସେହି ଅଂଶକୁ ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ ଏବଂ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉନ୍ନୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତିକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷିତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ । ମୁଖ୍ୟତଃ ଏହାକୁ କିଭଳି ସଂରକ୍ଷିତ ରଖାଯାଇ ପାରିବ ଏବଂ ଉଈ କିଭଳି ନଲାଗିବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି । ଏବଂ ଏହି ତିନଟି ରଥକୁ ସାଇତି ରଖିବା ପାଇଁ ପୂର୍ବରୁ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଲଭ ଉନ୍ନୟନ ପ୍ରକଳ୍ପରେ ପ୍ରସ୍ତାବ ରହିଥିଲା । ତେଣୁ ସେହି ପ୍ରସ୍ତାବ ଆଧାରରେ ଚଳିତ ବର୍ଷ ମହାପ୍ରଭୁଙ୍କ ବ୍ୟବହାର ତିନି ରଥକୁ ସଂରକ୍ଷିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏଗୁଡ଼ିକୁ କିଭଳି ରଖାଯିବ ସେନେଇ ଆଲୋଚନା କରାଯାଇଛି ।