ପୁରୀ: ଜିଲ୍ଲାରେ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ଆସନ୍ତାକାଲି(ରବିବାର) ଠାରୁ ଆରମ୍ଭ ହେଉଛି । ଏହା ଫେବୃୟାରୀ ୧ ଓ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାରେ 5ବର୍ଷ ବୟସରୁ କମ ଏକ ଲକ୍ଷ ୮୩ ହଜାର ୫୦୮ ଜଣ ଶିଶୁ ସାମିଲ ହେବେ । ଏଥିପାଇଁ ଦୁଇ ଲକ୍ଷ ୩୩ ହଜାର ୫୬ ଡୋଜ ପ୍ରସ୍ତୁତ ରଖାଯାଇଛି ।
ପ୍ରଥମ ଦିନ ଅର୍ଥାତ ଆସନ୍ତାକାଲି (ଜାନୁଆରୀ 31 ) ୭୬୬ଟି ବୁଥରେ ବୁନ୍ଦା ପ୍ରଦାନ କରାଯିବ । ଜିଲ୍ଲାର ଷ୍ଟେସନ, ବସଷ୍ଟାଣ୍ତ, ଶ୍ରୀମନ୍ଦିର ନିକଟ, ଚନ୍ଦ୍ରଭାଗା ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ, ବିଭିନ୍ନ ବସ୍ତି ନିକଟସ୍ଥ ୫୬ଟି ସ୍ଥାନରେ ବୁନ୍ଦା ଦିଆଯିବ । ଏହାଦ୍ବାରା ବାହାରୁ ଆସୁଥିବା ପର୍ଯ୍ୟଟକ, ବୁଲା ବେପାରୀମାନଙ୍କ ଶିଶୁ ସାମିଲ ହୋଇପାରିବେ । ଏଥିସହ ୨୪ଟି ଭ୍ରାମ୍ୟମାଣ ଟିମ ଗଠନ କରାଯାଇଛି । ବୁନ୍ଦା ପ୍ରଦାନ ନିମନ୍ତେ ୩ ହଜାର ୬୪ ଜଣ ବୁନ୍ଦା ପ୍ରଦାନକାରୀ ଏବଂ ୧୬୨ ଜଣ ସୁପରଭାଇଜର ନିଯୁକ୍ତ ହେବେ । ଆସନ୍ତା ୧ ଓ ୨ ତାରିଖରେ ଘରକୁ ଘର ବୁଲି ବୁନ୍ଦା ପ୍ରଦାନ କରାଯିବ । ଏଥିରେ ୩ ଲକ୍ଷ ୬୩ ହଜାର ୩୮ଟି ପରିବାର ସାମିଲ ହେବେ । ଅଙ୍ଗନୱାଡି, ଆଶାକର୍ମୀ ଏବଂ ଏନଏମ୍ ମାନେ ଏଥିରେ ନିଯୁକ୍ତ ହେବେ ।