ପୁରୀ: ପୁରୀରେ ଏବେ କୋଭିଡ଼ ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଗତ ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ହଜାରରୁ ଊର୍ଦ୍ଧ୍ବ ବୃଦ୍ଧି ପାଇଛି । ତେବେ କୋଭିଡ଼ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ।
ଜିଲ୍ଲା ଯକ୍ଷ୍ମା ଓ ସଂକ୍ରମକ ଚିକିତ୍ସାଳୟରେ ୧୩୦ଟି ଶଯ୍ୟା ଓ ୧୫ଟି ଆଇସିୟୁ ରହିଛି । ସେହିପରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ଟି ସାଧାରଣ ଶଯ୍ୟା, ବ୍ରହ୍ମଗିରି ସରକାରୀ ପଲିଟେକନିକରେ ୧୦୦ଟି ସାଧାରଣ ଶଯ୍ୟା, କୋଣାର୍କ ସରାକରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ଟି ସାଧାରଣ ଶଯ୍ୟା ଓ ନିମାପଡ଼ା ମହିଳା କଲେଜରେ ୭୨ ଟି ସାଧାରଣ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ପିପିପି ମୋଡ଼ରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ । ଏହି ହସ୍ପିଟାଲକୁ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲ ପରିଚାଳନା କରିବ।