ପୁରୀ:କୋଣାର୍କ ଥାନା ଅନ୍ତର୍ଗତ ନୁହଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ରାତି ଅଧରେ ଜଣେ ନାବାଳିକାକୁ ମଶାଣିରେ ପୋଡ଼ିଦେବା ଘଟଣା କୋଣାର୍କ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସେପଟେ ବିଶେଷ ସୂତ୍ରରୁ ଖବର ପାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହକୁ କୋଣାର୍କ ପୋଲିସ ଜବତ କରିଛି ।
ସୂଚନା ଅନୁସାରେ ନୁହାଡି ଗ୍ରାମର ନୃସିଂହ ପରିଡାଙ୍କ ଏକ ମାତ୍ର ଝିଅ ମାମି( ଛଦ୍ମନାମ) ଏକ ମେଧାବୀ ଛାତ୍ରୀ ଥିଲେ । ଅଷ୍ଟମ ଶ୍ରେଣୀରେ ମାର୍କ କମ ଥିବାରୁ ତାଙ୍କ ମା’ ଗତକାଲି ତାଙ୍କୁ ଆକଟ କରିଥିଲେ । ପରେ ସେ ଅପରାହ୍ନରେ ନିଜ ରୁମରେ ଦୀର୍ଘ ସମୟ କବାଟ ବନ୍ଦ କରି ରହିଥିଲେ । ଘର ଲୋକ ଡାକିଲା ପରେ ବି କବାଟ ଖୋଲିନଥିଲେ । ପରେ ପରିବାର ଲୋକ କବାଟ ଭାଙ୍ଗି ଘରକୁ ପ୍ରବେଶ କରିଥିଲେ । ଦେଖିବା ବେଳକୁ ଫ୍ୟାନରେ ନିଜ ଓଢଣୀରେ ସେ ଫାଶୀ ଦେଇଥିବା ପରିବାର ଲୋକ କହୁଥିବା ବେଳେ ମଶାଣିରେ ପୋଡିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଚମ୍ପହାର ଅଗ୍ନିଶମ ସାହାଯ୍ୟରେ ଜୁଇ ଲିଭାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଜବତ କରି ରାତିସାରା ଜଗି ରହିଥିଲେ ।