ପୁରୀ: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତାକାଲି(ସୋମବାର) ପୁରୀ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ମେଡିକାଲ କଲେଜ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇବା ପରେ ସେଠାରୁ ସିଧା ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ଯୋଗଦେବେ ।
ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍ ପାଇଁ ଆଡମିସନ ନେଇଥିବା ଏମବିବିଏସ୍ ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କରିବା ସହ କଲେଜର ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରଥମ ଦିନର ପାଠ ପଢାର ଅଭିଜ୍ଞତାକୁ ସେ ଶୁଣିବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ଦିନ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଆସି ଏସପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।