ପୁରୀ: କୋଭିଡ କଟକଣାକୁ ନେଇ ମହାପ୍ରଭୁଙ୍କ ଦର୍ଶନରୁ ଦୀର୍ଘଦିନ ହେବ ବଞ୍ଚିତ ହୋଇଛନ୍ତି ଭକ୍ତ । ତେବେ ଅରୁଣସ୍ତମ୍ଭ ନିକଟରୁ ପତିତପାବନ ଦର୍ଶନ ଟିକେ ଭଲରେ କରିବାକୁ ଭକ୍ତଙ୍କ ଦାବିକୁ ବିଳମ୍ବରେ ହେଲେ ମଧ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଥିବା ବ୍ୟାରିକେଡକୁ ଅରୁଣସ୍ତମ୍ଭ ଠାରୁ ଅଳ୍ପ ଦୂରରେ ପକାଯାଉଛି । ଫଳରେ ଭଲରେ ଭକ୍ତମାନେ ପତିତପାବନ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ।
ବାରମ୍ବାର ଭକ୍ତ ଓ ବିଭିନ୍ନ ଅନୁଷ୍ଠାନର ଦାବି ପରେ ପୁରୀ ଜିଲ୍ଲାପ୍ରଶାସନ ନରମିଛି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ବଞ୍ଚିତ ଭକ୍ତ ଯେଭଳି ଭଲରେ ପତିତପାବନଙ୍କ ଦର୍ଶନ କରି ପାରିବେ ସେ ନେଇ ସିଂହ ଦ୍ଵାର ଆଗରେ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ଫଳରେ ପୂର୍ବରୁ ଦୂରରେ ରହି ପତିତପାବନ ଦର୍ଶନ ଠିକରେ କରି ପାରୁନଥିବା ଭକ୍ତ ଏବେ ନିକଟରୁ ପତିତପାବନଙ୍କ ଦର୍ଶନ ପାଇ ବେଶ ଖୁସି । ପୂର୍ବରୁ ମଙ୍ଗୁମଠ ନିକଟରେ ଥିବା ବ୍ୟାରିକେଡକୁ ଅରୁଣସ୍ତମ୍ଭ ପଟକୁ ଆଉ 20 ଫୁଟ ଘୁଞ୍ଚାଇ ଦିଆଯାଇଛି ।