ପୁରୀ:ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗରେ ହେତୁବାଦୀଙ୍କ ପକ୍ଷରୁ ଚିକେନ ବିରିୟାନୀ ବଣ୍ଟନ ଓ ଖାଇବା ପ୍ରସଙ୍ଗ । ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ (Shankaracharya Swami Sri Nischalananda Saraswati) । ଯେଉଁମାନେ ପରାଗରେ ଭୋଜନ କଲେ ସେମାନଙ୍କୁ ଶାସ୍ତ୍ରର ଜ୍ଞାନ ନାହିଁ, ତାଙ୍କୁ ବି ଭୋଜନ କେତେବେଳେ ଖାଇବ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଗତ ମଙ୍ଗଳବାର ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିଲା । ଏଥିପାଇଁ ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା । ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଥିବା ବେଳେ ଏହାକୁ ଅନ୍ଧବିଶ୍ବାସ ମାନୁଛନ୍ତି ହେତୁବାଦୀ (Odisha Hetubadi Samaj) । ଫଳରେ ସେମାନେ ପରାଗ ସମୟରେ ଚିକେନ ବିରିୟାନୀ ଖାଇଥିଲେ । ହେତୁବାଦୀଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିବା ବେଳେ ଏ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ଏହା ବି ପଢନ୍ତୁ- ସୂର୍ଯ୍ୟପରାଗରେ ଖାଦ୍ୟ ଖାଇଲେ କୌଣସି ପ୍ରଭାବ ପଡିବ ନାହିଁ: ହେତୁବାଦୀ
ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, "ଯେଉଁ ହେତୁବାଦି ସମାଜ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କର ଧର୍ମ ଜ୍ଞାନ ନାହିଁ। ସେମାନେ ବିରିୟାନୀ ଖାଇଲେ କ'ଣ ହେବ ? ବିରିୟାନୀ ତାଙ୍କୁ ଖାଇବ । ଆମରେ ଯେଉଁ ଶାସ୍ତ୍ରୀୟ ବିଜ୍ଞାନ ରହିଛି ତାହାର ମହତ୍ତ୍ବ ରହିଛି । ଉଦାହରଣ ସ୍ବରୂପ ଯେପରି ଆମେ ଦିନବେଳେ ଦହି ଖାଇଲେ ଶରୀର ଉପରେ କୌଣସି ପ୍ରଭାବ ପଡ଼େ ନାହିଁ । ମାତ୍ର ସୂର୍ଯ୍ୟାସ୍ତ ପରେ ଏହାକୁ ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ତେବେ ଏହା ବିରୋଧରେ ଏହା ମାନି ନେବା ଉଚିତ ଯେ ସେମାନଙ୍କ ଦର୍ଶନ କିମ୍ବା ଶାସ୍ତ୍ରୀୟ ଜ୍ଞାନ ନାହିଁ ।"