ପୁରୀ:ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏ ନେଇ ଗାଁଠୁ ସହର ଉତ୍ସବ ମୁଖର ହୋଇଛି । ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ମହଣ ମହଣ ସୁନା ଅଳଙ୍କାରରେ ମହାପ୍ରଭୁ ସଜେଇ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବେ । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦଳଗୋବିନ୍ଦ ଦୋଳ ବେଦୀକୁ ବିଜେ କରିବେ । ରତ୍ନ ସିଂହାସନରେ ମହାପ୍ରଭୁ ରାଜା ରାଜେଶ୍ବର ବା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଦୋଳ ଉତ୍ସବ ଅବସରରେ ଶ୍ରୀମନ୍ଦିରରେ ହୋଲିକା ଦହନ ବିଧି ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦିବ୍ୟ ରାଜ ରାଜେଶ୍ବର ବେଶ ତଥା ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଗହଳି ଜମାଇଛନ୍ତି ।
ଶ୍ରୀମନ୍ଦିର ନିତୀ ନିର୍ଘଣ୍ଟ ଅନୁଯାୟୀ ସକାଳ 8ଟାରୁ ସୁନାବେଶ ଆରମ୍ଭ ହୋଇ ରାତି 9ଟା 30ରେ ଶେଷ ହେବ । ରାତି 10 ଟା 30ରେ ବେଶ ଉଲାଗୀ ହେବ । ଦୋଳ ପୁର୍ଣ୍ଣିମା ଅବସରରେ ମହାପ୍ରଭୁ ଦୋଳବେଦୀରେ ଭକ୍ତଙ୍କ ସହ ଅବିର ଓ ଫଗୁ ଖେଳିବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବି ସ୍ଵତନ୍ତ୍ର ବିମାନରେ ଦୋଳ ବେଦୀକୁ ବିଜେ କରି ଭକ୍ତଙ୍କ ଗହଣରେ ଫଗୁ ଖେଳିବେ । ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ଶ୍ରଦ୍ଧା, ଭକ୍ତି ଓ ପ୍ରେମର ପର୍ବ ହେଉଛି ଦୋଳ ଉତ୍ସବ ।
ଦୋଳ ଯାତ୍ରା ନେଇ ସବୁଆଡେ ରାଧାକୃଷ୍ଣ ବିଜେ ହେଉଥିବା ବେଳେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଶ୍ରୀ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ, ଭୂଦେବୀ ବିଜେ ହୋଇଛନ୍ତି । ଠାକୁରଙ୍କୁ ବଡ ଦେଉଳରେ 7 ଘେରା ବେଢ଼ା ପରିକ୍ରମା କରାଯାଇ ଦୋଳ ବେଦୀରେ ବିଜେ କରାଯାଏ । ମହାଜନ ସେବକମାନେ ଏହି କାର୍ଯ୍ୟ ସାରିବା ପରେ ଭକ୍ତମାନେ ଦୋଳ ବେଦୀରେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ଦୋଳବେଦୀରୁ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁଙ୍କ ସୁନାବେଶ ଉଲାଗି ହୋଇ ମହାସ୍ନାନ ନୀତି କରାଯିବ । ପରେ ଅନ୍ୟାନ୍ୟ ନୀତି ବଢି ରାତ୍ର ପହୁଡ଼ ହେବ ।