ପୁରୀ: ଆଜି ପବିତ୍ର ଶାମ୍ବ ଦଶମୀ(samba dasami) ଅବସରରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ(sun chariot) । ପ୍ରାତଃରୁ ଚନ୍ଦ୍ରଭାଗାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଥିଲେ ସୂର୍ଯ୍ୟ ଉପାସକ ତଥା ଶ୍ରଦ୍ଧାଳୁ l ଏହି ତିଥିରେ କୋଣାର୍କ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗାରେ ପହଞ୍ଚି ଥିଲା।
ପବିତ୍ର ଶାମ୍ବ ଦଶମୀରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ କାହିଁ କେଉଁ କାଳରୁ ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟମାନଙ୍କ ଶରୀର ରୋଗ ମୁକ୍ତ ହେବା ସହ ମନସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ଏନେଇ ଆଜି ଓଡ଼ିଶାର ସମସ୍ତ ପୁରପଲ୍ଲୀରେ ଏହି ପରମ୍ପରା ପାଳନ କରାଯାଇଥାଏ। ଏପଟେ ପୃଥିବୀରୁ କିପରି କୋରୋନା ଓ ଓମିକ୍ରନ ଚାଲିଯାଉ, ସେନେଇ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ ଶ୍ରଦ୍ଧାଳୁ ।
ପରମ୍ପରା ଅନୁଯାୟୀ ଶାମ୍ବ ଦଶମୀ ଆଜିର ତିଥିରେ କୋଣାର୍କ ଅବଧୂତ ମଠ ଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ l ସେଠାରେ 27 ଦିନ ରଖାଯାଇ ଗ୍ରହ ନକ୍ଷତ୍ରଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ l କୋଭିଡ କଟକଣାରେ ସୂର୍ଯ୍ୟ ରଥକୁ ଟାଣିଥିଲେ ଶ୍ରଦ୍ଧାଳୁ l ଏପଟେ ଆଜି ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁକ୍ଳ ଛାଡ଼ ଥିବାରୁ ମନ୍ଦିର ମଧ୍ୟରେ ପର୍ଯ୍ୟଟକଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ