ପୁରୀ:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ଲାଗିଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି ।
ସୁଆଣ୍ଡୋ ଗ୍ରାମର ବିକାଶ ନେଇ ପ୍ରସ୍ତୁତି ଆରମ୍ଭ ଏକ ସ୍ବତନ୍ତ୍ର ଟିମ ସୁଆଣ୍ଡୋ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ବିଶେଷ କରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ଓ ତାଙ୍କ ଘରର ଉନ୍ନତି କରାଯିବ । କିଭଳି ରକ୍ଷଣା ବେକ୍ଷଣ ସହ ଗ୍ରାମର ବିକାଶ କାର୍ଯ୍ୟ ହେବ ? ତାହା ମୁଖ୍ୟ ଫୋକସ ରହିବ ।
ସେହିପରି ସୁଆଣ୍ଡୋ ଗ୍ରାମର ରାସ୍ତାରେ ଅଲୋକୀକରଣ, ପାନୀୟ ଜଳ ଯୋଗାଣ, ସଡ଼କ ବ୍ୟବସ୍ଥାର ଉନ୍ନତି ସହ କିଭଳି ପ୍ରତ୍ୟେକ ଜିନିଷକୁ ସଂରକ୍ଷଣ କରାଯିବ ସେନେଇ ବ୍ୟବସ୍ଥା ହେବ । ଏନେଇ ଏକ ବ୍ଲୁ ପ୍ରିଣ୍ଟ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ଓଡ଼ିଶା ଓ ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ଅଗ୍ରଣୀ ସଂଗ୍ରାମୀ ଥିଲେ ଗୋପବନ୍ଧୁ ଦାସ । ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ଓ ସମ୍ବାଦପତ୍ର ସମାଜର ପ୍ରତିଷ୍ଠାତା ଥିଲେ । ଶିକ୍ଷା, ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମବୋଧକୁ ସମୀକୃତ କରିବାରେ ତାଙ୍କ ସାଧନା ଅନନ୍ୟ । ତାଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ ଓ ଉନ୍ନତୀକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ