ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ପୁଣି ହିଂସା । ଶ୍ଳୋକ ବୋଲିବାରୁ ଜଣେ ରୋଷେୟାକୁ ହୋଇଛି ଛୁରାମାଡ । କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନରେନ୍ଦ୍ର କୋଣରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛୁରାମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲାର ସୀତାକାନ୍ତ ମହାପାତ୍ର । ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆକ୍ରମଣର ଶିକାର ହୋଇଥିବା ସୀତାକାନ୍ତଙ୍କ କହିବାନୁଯାୟୀ ସେ ସମୁଦ୍ର କୂଳରେ ଥିବା ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି । ଆଜି ସକାଳେ ସେ କୌଣସି କାର୍ଯ୍ୟରେ ନରେନ୍ଦ୍ର କୋଣ ଯାଇଥିଲେ । ସେଠାରେ କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା । ତେବେ ସେହି ସମୟରେ ସୀତାକାନ୍ତ ସେମାନଙ୍କୁ ବୁଝାସୁଝା କରିବା ସହ ଶ୍ଳୋକ ବୋଲିବାରୁ ତାଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି ।
ଘଟଣାସ୍ଥଳରେ ଟାଉନ ଥାନା ଓ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନରେନ୍ଦ୍ର କୋଣ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି । ଏଥିପାଇଁ ସେହି ଅଞ୍ଚଳରେ ଅପରାଧ ମଧ୍ୟ ବଢିବାରେ ଲାଗିଛି । କଥା କଥାକେ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ । ପୋଲିସକୁ ଆଦୌ ବି ଭୟ କରୁନାହାନ୍ତି । ଯାହାକୁ ନେଇ ସହରବାସୀ ଏବେ ଆଶଙ୍କିତ ଅବସ୍ଥାରେ ରହିଛନ୍ତି ।