ପୁରୀ:ଆସନ୍ତା 22 ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି (ବୁଧବାର) ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଷ୍ଟ୍ରପତି 22 ତାରିଖ ମଧ୍ୟାହ୍ନ 12 ଟାରୁ ଗୋଟାଏ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ସମୟ ସ୍ଥିର କରାଯାଇଛି ।
ଏହି ସମୟରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପର୍ଣ୍ଣ କରାଯାଇ ମହାପ୍ରଭୁ ମଇଲମ ହୋଇ ରତ୍ନସିଂହାସନରେ ବିରାଜିତ ଥିବେ । ରାଷ୍ଟ୍ରପତି ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ମତ ଦେଇଛି ଛତିଶାନିଯୋଗ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ । ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତ ମାନଙ୍କର କୋଭିଡ ଟେଷ୍ଟ କରାଯିବ ।