ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉପଦ୍ରବ ବଢ଼ିବାରେ ଲାଗିଛି । ଫଳରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଥିବା ସେବାୟତ ମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଏହାର ପ୍ରତିକାର ପାଇଁ ମେସିନର ସାହାଯ୍ୟ ନିଆଯିବା ବ୍ୟବସ୍ଥାକୁ ସେବାୟତ ଘୋର ବିରୋଧ କରିଥିଲେ । ମେସିନରୁ ବାହାରୁଥିବା ସାଉଣ୍ଡରେ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବା ଅଭିଯୋଗ କରିଥିଲେ । ତେବେ ସେବାୟତଙ୍କ ବିରୋଧ ପରେ ନିଷ୍ପତ୍ତି ବଦଳାଇଲା ଶ୍ରୀମନ୍ଦିର ପ୍ରଶାସନ । ପାରମ୍ପରିକ ପୂର୍ବ ପଦ୍ଧତି ଅନୁଯାୟୀ ଗର୍ଭଗୃହରେ ମୂଷାଙ୍କୁ ଧରିବାକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ଗୁଡ ମାଠିଆ ରଖାଯାଇ ମୂଷାଙ୍କୁ ଧରିବାକୁ ପୁଣି ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ ।
ତେବେ ଏନେଇ ବଡ ମାଠିଆ ପ୍ରସ୍ତୁତ ପାଇଁ କୁମ୍ଭକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରାଦ ଦିଆଯାଇଛି । ଏହି ମାଠିଆ ଆସିବା ପରେ ସ୍ଵତନ୍ତ୍ର ପାରମ୍ପରିକ ଗୁଡ ରଖାଯାଇ ମାଠିଆକୁ ଶ୍ରୀମନ୍ଦିର ଗର୍ଭଗୃହରେ ରଖାଯିବ । ଏହି ଗୁଡ ଖାଇବା ପାଇଁ ମୂଷା ମାଠିଆରେ ପଶିବା ପରେ ମୂଷାଙ୍କୁ ଧରାଯାଇ ବାହାରେ ଛଡ଼ାଯିବ । ଏହି ପାରମ୍ପରିକ ପଦ୍ଧତିକୁ ପୁଣି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିବ । ଗତ କିଛିଦିନ ତଳେ ମୂଷାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜଣେ ଭକ୍ତ ଏକ ମେସିନ ଶ୍ରୀମନ୍ଦିରକୁ ଦାନ କରିଥିଲେ । ସେହି ମେସିନକୁ ଲଗାଇଲେ ଏକ ସାଉଣ୍ଡ ବାହାରିବାର ବ୍ୟବସ୍ଥା ରହିଛି । ଫଳରେ ମୂଷାମାନେ ଉକ୍ତ ସାଉଣ୍ଡକୁ ସହ୍ୟ କରିନପାରି ମେସିନ ଲାଗିଥିବା ସ୍ଥାନକୁ ଆସି ନଥାନ୍ତି । ତେବେ ଏହି ମେସିନକୁ ସେବାୟତ ବିରୋଧ କରିଥିଲେ । ମେସିନରୁ ସାଉଣ୍ଡ ବାହାରୁ ଥିବାରୁ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଅଭିଯୋଗ ଆସିଥିଲା ।