ପୁରୀ: ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ମଧ୍ୟରେ ଦିନକୁ ଦିନ ବଢି ଚାଲିଛି ଗୋଷ୍ଠୀ କନ୍ଦଳ । ଆଜି ନୂଆ କର୍ମକର୍ତ୍ତା ନିର୍ବାଚନ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ । ସଂଘର ସଭାପତି ତଥା ପୂର୍ବତନ ବାଚସ୍ପତି, ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ପରେ ଏହି ବିବାଦ ଆରମ୍ଭ ହୋଇଛି । କିଛି ଅସାମାଜିକ ଟ୍ରକ ମାଲିକ ଏବଂ କିଛି ଲୋକଙ୍କର ଟ୍ରକ ନଥାଇ ମଧ୍ୟ ସଂଘରେ ଏକ ବୈଠକ କରି କର୍ମକର୍ତ୍ତା ଚୟନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ଶ୍ରୀକ୍ଷେତ୍ର ଟ୍ରକ୍ ମାଲିକ ସଂଘ । କେବଳ ସେତିକି ନୁହେଁ ଏହି ଅସାମାଜିକ ବ୍ୟକ୍ତିମାନେ କର୍ମକର୍ତ୍ତା ଚୟନ କରି ସଂଘର କାର୍ଯ୍ୟାଳୟକୁ ବଳ ପୂର୍ବକ ଦଖଲ କରିବାକୁ ଉଦ୍ୟମ କରୁଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରାଯାଇଛି ।
ଏନେଇ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ପକ୍ଷରୁ ଚନ୍ଦନପୁର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି । ପ୍ରାୟ ୨୫୦ ଟ୍ରକ ପୁରୀର ବିକାଶ କାର୍ଯ୍ୟରେ ନିୟୋଜିତ ଥିବାବେଳେ, ଏହି ବିବାଦର ତୁରନ୍ତ ସମାଧାନ ନହେଲେ ଟ୍ରକ ମାଲିକମାନେ ବାହୁବଳୀମାନଙ୍କ ଦ୍ୱାରା ଜୁଲମର ଶିକାର ହେବେ ବୋଲି ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି । ତେଣୁ ତୁରନ୍ତ ଗଣତାନ୍ତ୍ରିକ ପଦ୍ଧତିରେ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ନିର୍ବାଚନ କରାଯାଇ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଚୟନ କରାଯାଉ ବୋଲି ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ.....ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବି, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଜମାକାରୀ