ପିପିଲି: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଅର୍ପଣ ରଥ ପ୍ରତି ପିପିଲିରେ ବଢୁଛି ସମର୍ଥନ । ଗାଁ ଗାଁରେ ରଥକୁ ସ୍ଵାଗତ କରି ଅରୁଆ ଚାଉଳ, ଗୁଆ, ନଡ଼ିଆ ଦାନ କରୁଛନ୍ତି ଜଗନ୍ନାଥ ପ୍ରେମୀ । ଗାଁରେ ଅର୍ପଣ ରଥ ପହଞ୍ଚିବା ମାତ୍ରେ ଉତ୍ସବମୁଖର ହୋଇ ଉଠୁଛି ଗାଁ ଦାଣ୍ଡ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଚାଉଳ ଦାନ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ଲୋକେ । ଏହି ରଥ ପମସରା ପଞ୍ଚାୟତର ବିଭିନ୍ନ ୱାର୍ଡ ପରିକ୍ରମା କରିବା ବେଳେ ଗାଁ ଦାଣ୍ଡରେ ମହିଳା ମାନେ ହୁଳହୁଳି ଓ ଶଙ୍ଖ ଫୁଙ୍ଖି ରଥକୁ ସ୍ଵାଗତ କରିବା ସହିତ ଗୁଆ ଓ ଚାଉଳ ଦାନ କରିଥିଲେ ।
ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ପିପିଲି ପମସରା ପଞ୍ଚାୟତରେ ଏହି ଅର୍ପଣ ରଥର ନେତୁତ୍ବ ନେଇ ଗାଁ ଗାଁରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ନଡ଼ିଆ ସଂଗ୍ରହ କରିଛନ୍ତି । ସେପଟେ ଗାଁରେ ମହାପ୍ରଭୁଙ୍କ ଉଦେଶ୍ୟ ଯାତ୍ରା କରୁଥିବା ଅର୍ପଣ ରଥକୁ ବିପୁଳ ସମର୍ଥନ ମିଳିଥିବା ବେଳେ ମହାପ୍ରଭୁଙ୍କ ଉଦେଶ୍ୟରେ ଗୁଆ ଓ ଚାଉଳ ଦାନ କରି ଆମେ ଧନ୍ୟ ହୋଇଛୁ ବୋଲି ପମସରା ଗ୍ରାମବାସୀ କହିଛନ୍ତି ।
ସେପଟେ ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତଙ୍କ ଉଦେଶ୍ୟରେ ଲୋକାର୍ପିତ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ ହୋଇଛି । ଏହି ଅର୍ପଣ ରଥ ପ୍ରତେକ ପଞ୍ଚାୟତରେ ଥିବା ଗାଁକୁ ଗାଁ ବୁଲି ଗୁଆ ଓ ଅରୁଆ ଚାଉଳ ଲୋକଙ୍କ ଠାରୁ ସଂଗ୍ରହ କରିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ସେବାୟତଙ୍କୁ ଗୁଆ, ଅରୁଆ ଚାଉଳ ଦେଇ ସାରା ରାଜ୍ୟ ବାସୀ ଗୁଆ ଅରୁଆ ଚାଉଳ ଦାନ ପାଇଁ ଆହ୍ଵାନ ଦେଇଥିଲେ । ଏଣୁ ପ୍ରତି ବ୍ଳକରୁ ୬ ତାରିଖ ଠାରୁ ଅର୍ପଣ ରଥ ଶୁଭାରମ୍ଭ ହୋଇଛି ।