ପୁରୀ: ଆଜି (ବୁଧବାର) ପ୍ରଥମାଷ୍ଟମୀ । ସେଥିପାଇଁ ଶ୍ରୀମନ୍ଦିର ହୋଇଥିଲା ଚଳଚଞ୍ଚଳ । ବଡଭାଇ ତଥା ମହାପ୍ରଭୁ ବଳଭଦ୍ର ହୋଇଛନ୍ତି ପୋଢୁଆଁ । ଏପଟେ ଲୋକକଥା ମୁତାବକ ମହାପ୍ରଭୁ ଜଗନ୍ନାଥଙ୍କ ମାମୁ ଘର ଦାବି କରି ନିଆଳି ସ୍ଥିତ ମାଧବାନନ୍ଦ ମନ୍ଦିରରୁ ଆସିଥିଲା ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର । ହେଲେ ଏହି ପୋଢୁଆଁ ଭାରକୁ ନେଇ ଏବେ ଦେଖାଦେଇଛି ବିବାଦ ।
ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଆଣିଥିବା ନିଆଳିର ମାଧବାନନ୍ଦ ମନ୍ଦିର ଟ୍ରଷ୍ଟର ସାମଗ୍ରୀ କୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ । ଶ୍ରୀମନ୍ଦିର ସ୍ବତଲିପିରେ ନିଆଳିର ମାଧବାନନ୍ଦ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମାମୁ ଘର ନେଇ କୌଣସି ତଥ୍ୟଗତ ପ୍ରମାଣ ନାହିଁ । ଏଣୁ ପଢ଼ୁଆଁ ପାଇଁ ଆସିଥିବା ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ। ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ସୂଚନା ଦେଇଛନ୍ତି । ତେବେ ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦିଆଯାଇ ଥିବା ଖଣ୍ଡୁଆ ପାଟ କୁ କେଵଳ ଶ୍ରୀମନ୍ଦିର ପ୍ରଶାସନ ଦାନ ହିସାବରେ ଗ୍ରହଣ କରିଛି । ଏହାସହ 3ହଜାର 5ଶହ ଟଙ୍କା ମଧ୍ୟ ଗ୍ରହଣ କରାଯାଇଛି ।