ପୁରୀ:ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ ହେବା ଦରକାର । ଅନେକ ଯୁବକ ଯୁବତୀ ଆଧୁନିକ ପୋଷାକ ପିନ୍ଧି ଆସିବା ଦ୍ବାରା ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ବାତାବରଣ ଖରାପ ହେଉଛି । ଏଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଭାରତୀୟ ସଂସ୍କୃତିର ପାରମ୍ପାରିକ ଡ୍ରେସ୍ କୋଡ ଲାଗୁ ହେବା ଉଚିତ ବୋଲି ଦଇତାପତି ନିଯୋଗ ଦାବି କରିବା ପରେ ଏହାକୁ ଭକ୍ତ ମଧ୍ୟ ସ୍ଵାଗତ କରିଛନ୍ତି । ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।
ଶ୍ରୀମନ୍ଦିର ହେଉଛି ଅତ୍ୟନ୍ତ ପବିତ୍ର ସ୍ଥାନ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପୀଠ । ଏଣୁ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ପାଇଁ ପାରମ୍ପାରିକ ଡ୍ରେସ୍ ପିନ୍ଧି ଭକ୍ତମାନେ ଆସିବା ଉଚିତ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ନିୟମ ଆଣିବା ଉଚିତ ବୋଲି ଭକ୍ତ କହିଛନ୍ତି । ଦକ୍ଷିଣ ଭାରତରେ ଥିବା ଅନେକ ମନ୍ଦିର ଗୁଡିକରେ ପାରମ୍ପାରିକ ପୋଷାକ କେବଳ ପିନ୍ଧି ପ୍ରବେଶ ନେଇ ନିୟମ ରହିଛି । ଏଣୁ ଶ୍ରୀମନ୍ଦିରରେ ମଧ୍ୟ ଏହା ଲାଗୁ ହେଉ । ପୁରୁଷ ବ୍ୟକ୍ତିମାନେ କୁର୍ତ୍ତା ଭଳି ପାରମ୍ପାରିକ ପୋଷାକ ପିନ୍ଧିବା ଉଚିତ । ସେହିପରି ମହିଳାମାନେ ଶାଢୀ, ସଲୱାର କମିଜ ଭଳି ପାରମ୍ପାରିକ ପୋଷାକ ପିନ୍ଧିବା ଉଚିତ ବୋଲି ଭକ୍ତ କହିଛନ୍ତି।
ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍କୋଡ୍ ଲାଗୁ ହେଉ: ଦଇତାପତି ନିଯୋଗ