ପୁରୀ:ଶ୍ରୀମନ୍ଦିର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଗାଏବ୍ ଘଟଣା। ହାଇକୋର୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ଏକ ମାମଲା ଚାଲିଥିବା ବେଳେ ଏହି ସମ୍ପର୍କିତ 2ଟି ଫାଇଲ୍ ଗାଏବ୍ ହୋଇଯିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ତେବେ ଏହି ଘଟଣା ଜଣାପଡିବା ପରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଏଥିସହ ଫାଇଲ ହଜାଇ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଶ୍ରୀ ଜଗନ୍ନାଥ ସେନା ଦାବି କରିଛି।
ସେହିପରି ଶ୍ରୀମନ୍ଦିର ସମ୍ପର୍କିତ ଯେତେ ମାମଲା ରହିଛି ରାଜ୍ୟ ସରକାର ଏହାକୁ ସମୟ ଗଡ଼ାଇବାକୁ ଷଡ଼ଯନ୍ତ୍ର କରି ବିଭିନ୍ନ କାର୍ଯ୍ୟ କରୁଛନ୍ତି। ଏହି କ୍ରମରେ ଫାଇଲ ହଜିବା ଘଟଣା ମଧ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ରଖିଛି। ପୂର୍ବରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସରକାର କୋର୍ଟଙ୍କୁ ଭୁଆଁ ବୁଲାଇଛନ୍ତି। ଏହି ମାମଲାରେ ସମୟ ଗଡ଼େଇ ଚାଲିଛନ୍ତି। ପୁଣି ସେହିଭଳି ଶ୍ରୀ ମନ୍ଦିର ପରିଚାଳନା କମିଟି ମାମଲାରେ ସରକାର ସମୟ ଗଡ଼େଇବା ପାଇଁ ଏଭଳି ଫାଇଲ ହଜିବା ନାଟକ ରଚନା କରିଥିବା ଶ୍ରୀ ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି। ଯଦି ସରକାର ଏ ଦିଗରେ ବିହୀତ କାର୍ଯ୍ୟନୁଷ୍ଠାନ ନ ନିଅନ୍ତି ତାହା ହେଲେ ଜଗନ୍ନାଥ ସେନା କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି ।
ହାଇକୋର୍ଟରେ ଖୁଣ୍ଟିଆ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ଏକ ମାମଲା ଚାଲିଥିବା ବେଳେ ଏ ସମ୍ପର୍କିତ ତଥ୍ୟ ଥିବା ଦୁଇଟି ଫାଇଲ୍ କେଉଁଆଡେ ଗାଏବ୍ ହୋଇଯାଇଥିବା ଜଣାପଡ଼ିଛି। ତେବେ ଫାଇଲ୍ ରଖୁଥିବା ଆଇନ୍ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ହଯିଥିବା ଫାଇଲ୍ ସମ୍ପର୍କରେ ତଥ୍ୟ ମାଗିବା ପରେ ସମସ୍ତ ଘଟଣା ପଦାକୁ ଆସିଛି। ଏନେଇ ଶ୍ରୀମନ୍ଦିର ଫାଇଲ୍ ଗାଏବ୍ ହେବା ଘଟଣାକୁ ଖୁଣ୍ଟିଆ ନିଯୋଗ ସଭାପତି ଓ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସହଯରେ ଗ୍ରହଣ କରିପାରିନାହାନ୍ତି।