ପୁରୀ:ଶ୍ରୀଜଗନ୍ନାଥ ଧାମ ପୁରୀରେ ବିଭିନ୍ନ ମଠ ଓ ଆଶ୍ରମକୁ ନେଇ ବିଭିନ୍ନ ମହଲରେ ଏବେ ଉଠିଛି ପ୍ରଶ୍ନ । ବିଭିନ୍ନ ମଠ ଓ ଆଶ୍ରମରେ ଅନେକ ଅପରାଧ ଶ୍ରେଣୀର ବ୍ୟକ୍ତି ସାଧୁ ବେଶ ଧରି ରହିବା ସହ ଜଘନ୍ୟ ଅପରାଧରେ ମଧ୍ୟ ସମ୍ପୃକ୍ତ ରହୁଛନ୍ତି । ପୁରୀ ଲୋକନାଥ ରୋଡ଼ ଗୁରୁକୃପା ଆଶ୍ରମରେ ୨ଜଣ ବାବାଙ୍କୁ ଜଣେ ବାବା ଅତି ବିଭତ୍ସ ଭାବେ ହତ୍ୟା କରିବା ପରେ ସହରରେ ବିଭିନ୍ନ ମଠରେ ରହୁଥିବା ଅନ୍ତେବାସୀ ଓ ସାଧୁଙ୍କୁ ନେଇ ଉଠିଛି ପ୍ରଶ୍ନ । ଅପରାଧ ଶ୍ରେଣୀର ବ୍ୟକ୍ତିଙ୍କ ଯୋଗୁଁ ମଠ ଓ ଆଶ୍ରମରେ ଚାଲୁଛି କଳାଧନ୍ଦା । ଫଳରେ କଳୁଷିତ ହୋଇଛି ଆଶ୍ରମର ଆଧ୍ୟାତ୍ମିକ ପରିବେଶ । ଏଣୁ ଯେଉଁ ବ୍ୟକ୍ତି ଆଶ୍ରମ ବା ମଠକୁ ରହିବାକୁ ଆସୁଛନ୍ତି ସେମାନଙ୍କ ପରିଚୟ ପତ୍ର ସହ ସବିଶେଷ ତଥ୍ୟ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଅନେକ ମଠ ଏବଂ ଆଶ୍ରମରେ ବାହାରୁ ଆସି ରହୁଥିବା ସାଧୁ ଓ ବ୍ୟକ୍ତିବିଶେଷଙ୍କ କୌଣସି ତଥ୍ୟ ରଖାଯାଉନଥିବା ଅଭିଯୋଗ ହୋଇଛି । ଅନେକ ବ୍ୟକ୍ତି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥାଇ ନିଜକୁ ଆତ୍ମଗୋପନ କରିବା ପାଇଁ ମଠ ଓ ଆଶ୍ରମରେ ନିଜ ନାମ ବଦଳାଇ ବାବା ବେଶରେ ରହୁଥିବା ଅଭିଯୋଗ ହୋଇଛି । ଏହି ଅପରାଧ ଶ୍ରେଣୀର ବ୍ୟକ୍ତିମାନଙ୍କ ଯୋଗୁଁ ବିଭିନ୍ନ ମଠ ଓ ଆଶ୍ରମରେ ବେଆଇନ କାର୍ଯ୍ୟକଳାପ ଏବଂ କଳାଧନ୍ଦା ଚାଲିଥିବା ଫଳରେ ଆଶ୍ରମର ଆଧ୍ୟାତ୍ମିକ ପରିବେଶ କଳୁଷିତ ହେଉଛି । ବିଭିନ୍ନ ମଠ ଆଶ୍ରମରୁ ଅପରାଧିକ କାର୍ଯ୍ୟକଳାପ ଅପରେଟ୍ ହେଉଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଧୀନରେ ଥିବା ମଠ ଆଶ୍ରମର ତଥ୍ୟ ରଖାଯିବା ସହ ମଠଗୁଡ଼ିକରେ କିଭଳି ଅପରିଚିତ ବ୍ୟକ୍ତି ରହିବେ ନାହିଁ ସେନେଇ ବିଭିନ୍ନ ମଠ ଓ ଆଶ୍ରମର ମହନ୍ତ ଓ ପରିଚାଳକମାନଙ୍କୁ ପୋଲିସ ପରାମର୍ଶ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିବିଶେଷ କହିଛନ୍ତି ।
ଏ ନେଇ ଉତ୍ତର ପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି, "ଯିଏ ବି ଆଶ୍ରମ ବା ମଠକୁ ରହିବାକୁ ଆସୁଛି, ତାର ପରିଚୟ ପତ୍ର ରଖାଯାଉ । ମଠ ମହନ୍ତ ହୁଅନ୍ତୁ କି ପରିଚାଳକ ଏହାକୁ ସଂଗ୍ରହ କରନ୍ତୁ । କାରଣ ଆଜିକାଲି ଅସାଧୁ ବ୍ୟକ୍ତିମାନେ ମୁଣ୍ଡରେ ଚିତା ଲଗାଇ ସାଧୁ ବାବା ବେଶରେ ମଠରେ ଆଶ୍ରୟ ନେଉଛନ୍ତି । ଯାହାଦ୍ବାରା ଅପରାଧିକ କାର୍ଯ୍ୟ ବଢୁଛି । ଏ ଦିଗରେ ପୋଲିସ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ।"
ଏହା ବି ପଢନ୍ତୁ- ପୁରୀରେ ବଢୁଛି ଅପରାଧ, ଗରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାରେ 6 ଗିରଫ