ପୁରୀ:ରାଜ୍ୟର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜା । ଷୋଡ଼ଶ ଉପଚାର ପୂଜା ହେଉଛି ଏକ ନିଆରା ପରମ୍ପରା । ଏନେଇ ଚଳଚଞ୍ଚଳ ଦେବୀ ପୀଠ । ଏହିକ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଥିବା ଦେବୀପୀଠ ଗୁଡିକରେ ମଧ୍ୟ ଚାଲିଛି ଷୋଳପୂଜା । ମା’ଙ୍କ ପୀଠରୁ ଗୁଞ୍ଜରିତ ହେଉଛି ଚଣ୍ଡୀ ପାଠ । ଏନେଇ ବିଭିନ୍ନ ଦେବୀ ପୀଠରେ ମା’ଙ୍କ ଷୋଳପୂଜାର ସ୍ବତନ୍ତ୍ରତା ରହିଛି ।
ତେବେ ପୁରୀରେ ଅଧିଷ୍ଠିତ ଅଷ୍ଟଚଣ୍ଡୀ ଶ୍ରୀକ୍ଷେତ୍ରର ବିଭିନ୍ନ କୋଣରେ ଅବସ୍ଥାନ କରିଛନ୍ତି । ରାମଚଣ୍ଡୀ, ହରଚଣ୍ଡୀ, ବାସେଳି, ବରାହୀ, ଦକ୍ଷିଣ ଚଣ୍ଡୀ ଓ ଝାଡ଼େଶ୍ଵରୀଙ୍କ ସମେତ ଅଲାମ ଚଣ୍ଡୀଙ୍କ ପୀଠରେ ଷୋଳପୂଜା ଅନୁଷ୍ଠିତ ହୋଇଛି । ପୁରୀର ପ୍ରବେଶ ପଥ ଭାବେ ପରିଗଣିତ ଅଠରନଳାରୁ ମାତ୍ର କିଛି ବାଟ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିବା ବାଟରେ ପଡ଼େ ମା’ ଆଲାମ ଚଣ୍ଡୀ ପୀଠ । ସେଠାରେ ଷୋଡ଼ଶ ପୂଜାରେ ହୁଏ ମାଛପୋଡ଼ା ଭୋଗ ।
ତେବେ ଏନେଇ ମା’ ଆଲାମ ଚଣ୍ଡୀଙ୍କ ପୂଜକ କୁହନ୍ତି, "ଗଜପତି ମହାରାଜାଙ୍କ ଦ୍ଵାରା ବହୁ ପୁରାତନ ସମୟରୁ ମା’ଙ୍କ ମନ୍ଦିର ପ୍ରତିଷ୍ଠିତ ହୋଇଛି । ଦୁର୍ଗାଷ୍ଟମୀ ପ୍ରମୁଖ ପର୍ବ ଭାବେ ପାଳନ ହେଉଥିବାବେଳେ, ଷୋଳପୂଜାରେ ମା’ ମାତଙ୍ଗୀ, ଭୈରବୀ ଓ ଦୁର୍ଗା ବେଶରେ ପୂଜାପାଆନ୍ତି । ମା’ଙ୍କ ଷୋଳପୂଜା ନୀତିକାନ୍ତି ମଧ୍ୟରେ ମାଜଣା, ବାଳଭୋଗ, ଆଳତି, ଦ୍ବିପ୍ରହର ଶଙ୍ଖୁଡ଼ି ଭୋଗ ଓ ସନ୍ଧ୍ୟା ଧୂପ ଆଦି କରାଯାଉଛି । ଷୋଳ ପୂଜାରେ ମା’ଙ୍କ ଉଦ୍ଦେଶ୍ୟରେ ଖେଚୁଡ଼ି, ଡାଲମା, ମାଛ ବେସର, ସାଧା ବେସର ସହ ମାଛ ପୋଡ଼ା ଭୋଗ ହେଉଛି । ଏହା ବ୍ୟତୀତ ଖିରି ଓ କାକରା ଭୋଗ କରାଯାଉଛି । ଗଜପତି ମହାରାଜାଙ୍କ ଦ୍ବାରା ବରଣ କରାଯାଇଥିବା ବ୍ରାହ୍ମଣ ସନ୍ଧ୍ୟାରେ ଚଣ୍ଡୀପାଠ କରୁଛନ୍ତି ।