ପୁରୀ:ଭାବର ଠାକୁର ସେ ଭାବ ବିନୋଦିଆ । ତାକୁ ଦେଖିବାକୁ ଆତୁର ହେଉଥାଏ ଭକ୍ତର ନୟନ । ତା' ପ୍ରେମରେ ଯିଏ ପଡିଛି ସେ ସାତ ଦରିଆ ପାରି ହୋଇ ଧାଇଁ ଆସିଥାଏ ଶ୍ରୀକ୍ଷେତ୍ର ପୁରୀକୁ । କି ରୋଗ କି ବୟସ, ତାକୁ ଟିକେ ଦେଖିବାକୁ ପାଦରେ ବଳ ମାଡିଆସେ । ଏ ଜୀବନ ତ ସେହି ଜଗାର । ତାଙ୍କରି ହାତରେ ଆୟୁଷର ତାରିଖ ବନ୍ଧା । ତାଙ୍କ ଲୀଳା ଅପାର । କଳା ଶ୍ରୀମୁଖର ଦର୍ଶନ ପାଇଁ ଭକ୍ତ ରୋଗଶଯ୍ୟାରୁ ବି ଦୌଡି ଆସିଥାଏ । ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନାକରେ ଅକ୍ସିଜେନ ଲଗାଇ ଆଡପ ମଣ୍ଡପରେ ଜଣେ ମହିଳା ଭକ୍ତ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରି ଫେରୁଥିବା ସମୟରେ କ୍ୟାମେରାରେ ଦୃଶ୍ୟଟି କଏଦ ହୋଇଛି । ସମସ୍ତଙ୍କ ହୃହୟକୁ ଛୁଇଁଛି ଫଟୋଟି ।
ଫଟୋରେ ଦେଖିବାକୁ ମିଳିଛି ଯେ, ପୁଅ କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରିଛି । ମାଆ ନାକରେ ଅକ୍ସିଜେନ ସିଲିଣ୍ଡରରୁ ଆସିଥିବା ପାଇପ ଲାଗିଛି । ଏହି ଫଟୋ ହିଁ ବୟାନ କରୁଛି କାଳିଆ ପ୍ରେମରେ ଯିଏ ପଡିଛି ତାକୁ କିଛି କଷ୍ଟ ଲାଗେ ନାହିଁ । ଫଟୋଟି ଖାଲି ଭକ୍ତି ଭଗବାନଙ୍କ ସେ ଅପୂର୍ବ ମିଳନର ବାର୍ତ୍ତା ଦେଇନାହିଁ, ବରଂ ଜଣେ ମାଆ ପୁଅର ଅନାବିଳ ସ୍ନେହର ଛବି ହୋଇଛି । ଅକ୍ସିଜେନ ସପୋର୍ଟରେ ମାଆକୁ କାଳିଆ ଦର୍ଶନ ଲାଗି ଆଣିଛି ପୁଅ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିବା ସମୟରେ କ୍ୟାମେରାରେ ଦୃଶ୍ୟଟି କଏଦ ହୋଇଛି ଯାହା ଅଗଣିତ ଲୋକଙ୍କ ହୃହୟକୁ ଛୁଇଁଛି । ଆଡପ ମଣ୍ଡପରେ ମହାବାହୁଙ୍କୁ ଦେଖି ମହିଳା ଭକ୍ତ ଜଣଙ୍କ ଯେପରି ଧନ୍ୟ ଧନ୍ୟ ହୋଇଥିବା ଫଟୋରୁ ବାରି ହୋଇ ପଡୁଛି । କାଳିଆ ପ୍ରତି ତାଙ୍କ ଭଲ ପାଇବା ଯେ କେତେ ସେହି ଫଟୋରୁ ଜଣାପଡୁଛି ।