ପୁରୀ:ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି । ଶ୍ରୀକ୍ଷେତ୍ରାଧୂରୀ ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଏଥିସହ ଶ୍ରୀମନ୍ଦିରରେ ପାଳିତ ହେବ ଦୁର୍ଗାମାଧବ ଉପାସନା । ଶ୍ରୀଜଗନ୍ନାଥଙ୍କ ସ୍ଵରୂପ ହେଉଛନ୍ତି ମାଧବ । ସବୁଠି ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନା ପ୍ରଚଳନ ରହିଛି । ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ । ଏହି ଷୋଳ ଦିନ ମହିଳାମାନଙ୍କୁ ମା’ ବିମଳାଙ୍କ ମନ୍ଦିର ଭିତରକୁ ଯିବା ବାରଣ ଥାଏ ।
ଆଶ୍ବିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ପୂଜାର୍ଚ୍ଚନା ଚାଲେ । ଏହି ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାରରୁ ମା' ଦୁର୍ଗାଙ୍କ ସ୍ଵର୍ଣ୍ଣ ପ୍ରତିମା ଅଣାଯାଇ ରତ୍ନ ସିଂହାସନରେ ବିଜେ କରାଯିବ । ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯିବ । ଦେବୀ ମାଜଣା ମଣ୍ଡପକୁ ବିଜେ ହେବା ପରେ ସେଠାରେ କୁମ୍ଭାଭିଷେକ ହେବ । ମାଧବଙ୍କ ପ୍ରତିମୂର୍ତ୍ତିକୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବେ । ପରେ ସୁସଜ୍ଜିତ ବିମାନରେ ଯାଇ ମା’ ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହେବେ । ଏହାପରେ ଆଳତୀ ଓ ବନ୍ଦାପନା ନୀତି ବଢ଼ିବ । ଶୀତଳ ଭୋଗ ଅର୍ପଣ ହୋଇ ବନ୍ଦାପନା କରାଯିବ ।
ଠାକୁରଙ୍କୁ ଚନ୍ଦନ ଲାଗି ନୀତି ପରେ ସେବାୟତମାନେ ଦୁର୍ଗାମାଧବଙ୍କୁ ଭଣ୍ଡାର ଘରକୁ ବିଜେ କରାଇବେ । ଏନେଇ ଆଜି ଶ୍ରୀନହର ଚଳଚଞ୍ଚଳ ହୋଇପଡିଛି । ଷୋଳପୂଜାର ଏହି ବିଧି ଶ୍ରୀ ନହରରୁ ଆରମ୍ଭ ହେବ । ଗଜପତି ଆଜି ୨୧ ଜଣ ବ୍ରାହ୍ମଣଙ୍କୁ ଡାକି ସେମାନଙ୍କୁ ବରଣ କରିବା ସହିତ ବସ୍ତ୍ର ଦାନ ସହ ଗୁଆ ନଡ଼ିଆ ପ୍ରଦାନ କରି ବିଭିନ୍ନ ପୀଠରେ ନିଯୁକ୍ତ କରିବେ । ଏହି ଆଚାର୍ଯ୍ୟମାନେ ପୁରୀରେ ଥିବା ବିଭିନ୍ନ ପୀଠଗୁଡ଼ିକରେ ଚଣ୍ଡୀପାଠ ଦୁର୍ଗା ଆରାଧନା ପ୍ରଭୃତି କରିବେ । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା' ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡ଼ଶ ଦିନାତ୍ମକ ପୂଜା ।