ପୁରୀ:ମହାପ୍ରଭୁଙ୍କ ନାମରେ ଥିବା ଜମି ବିକ୍ରି କରାଯିବ । ଏହାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁରୀ ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ହାପ୍ରଭୁଙ୍କ ନାମରେ ଥିବା ଦୁଇଟି ଜମି ବିକ୍ରି କରାଯାଇ ପଟା ଦେବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହୋଇଥିବା ମଠଗୁଡ଼ିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ହୋଇଛି ।
ବୈଠକରେ ଯୋଗ ଦେଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଦୂର୍ଗା ଦାସ ମହାପାତ୍ର କହିଛନ୍ତି "ଅନେକ ଲୋକ ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ଜମିରେ ବସବାସ କରିଛନ୍ତି । ସେମାନେ ଉକ୍ତ ଜମିକୁ ସ୍ଥାୟୀ ପଟ୍ଟା ପାଇବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନକାରୀ ଶ୍ରୀମନ୍ଦିର ପ୍ରଶାସନ ଠାରୁ ପଟା ନେବାକୁ ଆବେଦନ କରିଛନ୍ତି । ତେବେ ଜିଲ୍ଲା ଲ୍ୟାଣ୍ଡ କମିଟିର ଅନୁମୋଦନ କ୍ରମେ ସେଥି ମଧ୍ୟରୁ ଭୁବନେଶ୍ଵର ଓ କଟକରେ ମହାପ୍ରଭୁଙ୍କ ନାମରେ ଥିବା ଦୁଇଟି ଜମି ବିକ୍ରି କରାଯାଇ ପଟା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହାର ଅନୁମୋଦନ କରାଯିବ।"
ସେହିପରି ଏହି ବୈଠକରେ ଅନେକ ବ୍ୟକ୍ତି ଜିଲ୍ଲା ଲ୍ୟାଣ୍ଡ କମିଟିରେ ପ୍ରଥମେ ଅନୁମୋଦନ ବିନା ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଥିବା ଦରଖାସ୍ତକୁ ବାତିଲ କରଯାଇଛି । ପ୍ରଥମେ ଜିଲ୍ଲା ଲ୍ୟାଣ୍ଡ୍ କମିଟିର ଅନୁମୋଦନ ଆଣି ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିବାକୁ କୁହାଯାଇଛି । ଏହାସହ ଖୋର୍ଦ୍ଧାରେ ଏକ ଅନୁଷ୍ଠାନ ମହାପ୍ରଭୁଙ୍କ ଜମିରେ ବୃକ୍ଷ ରୋପଣ ନେଇ ଆବେଦନ କରିଥିବା ବେଳେ ଘଟଣାସ୍ଥଳରେ ଶ୍ରୀମନ୍ଦିର ପ୍ରଶାସନ ପରିଦର୍ଶନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହୋଇଥିବା ମଠଗୁଡ଼ିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ହୋଇଛି । କେଉଁ ମଠକୁ କେତେ ଜମି ଦିଆଯିବ ଏବଂ କେତେ ଜମି ମାଗଣାରେ ପ୍ରଦାନ କରାଯିବ ସେନେଇ ମଧ୍ୟ ଏକ ସବ୍ କମିଟି ଗଠନ ହେଇଛି । ଏହି କମିଟିର ନିଷ୍ପତ୍ତି ଏବଂ ଅନୁଧ୍ୟାନ ପରେ ବିଭିନ୍ନ ମଠର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହେବ ।