ପୁରୀ:ବାରମ୍ବାର ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ବିିଭିନ୍ନ ଉପାୟରେ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏବେଆରମ୍ଭ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଯିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ସମୟ ମଧ୍ୟରେ, ଅର୍ଥାତ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁ ନଥିବା ସମୟରେ ରତ୍ନ ଭଣ୍ଡାର ମରାମତି କରିବା ପାଇଁ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏନେଇ ପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ର କୁଳରେ ଅଭିନବ ଢଙ୍ଗରେ ଏହି ଦାବି କରାଯାଇଛି । ସମୁଦ୍ର ଜଳ ଭିତରେ ଠିଆ ହୋଇ ପ୍ଲାକାର୍ଡ ଧରି ଏହି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଯାହାକି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଏନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଚକ୍ରତୀର୍ଥ ସମୁଦ୍ର ହେଉଛି ମା' ଲକ୍ଷ୍ମୀଙ୍କ ବାପଘର । ପ୍ରଭୁ ଜଗନ୍ନାଥଙ୍କ ଶ୍ଵଶୁର ଘର । ଏଣୁ ଏହି ସ୍ଥାନର ସ୍ବତନ୍ତ୍ର ଗାରିମା ରହିଥିବାରୁ ଏଠାର ସମୁଦ୍ର ଭିତରେ ଠିଆ ହୋଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି ।" ରଥଯାତ୍ରା ହିଁ ରତ୍ନ ଭଣ୍ଡାର ମରାମତିର ପ୍ରକୃଷ୍ଟ ସମୟ । ମହାପ୍ରଭୁ ରତ୍ନ ସିଂହାସନରେ ନଥିବା ବେଳେ ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ହେଉ ବୋଲି ସେ ଦାବି କରିଛନ୍ତି । ଅନ୍ୟ ସମୟରେ ଏହା ସଠିକ୍ ଭାବେ ହୋଇ ପାରିବ ନାହିଁ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।