ପବିତ୍ର ପଞ୍ଚୁକ ର ଦ୍ୱିତୀୟ ଦିବସ ପୁରୀ:ପବିତ୍ର ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପଞ୍ଚୁକର ଦ୍ବିତୀୟ ଦିନରେ ହଜାର ହଜାର ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ତେବେ ଆଜି ମହାପ୍ରଭୁ ବାଙ୍କଚୂଡା ବେଶରେ ସଜ୍ଜିତ ହୋଇଥିବା ବେଳେ ପ୍ରଭୁଙ୍କ ଏହି ବେଶ ଦେଖି ମୁଗ୍ଧ ହୋଇଯାଇଛନ୍ତି ଭକ୍ତ ।
ଆଜି ପବିତ୍ର ପଞ୍ଚୁକର ଦ୍ବିତୀୟ ଦିନ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡା ମେକାପ ଏବଂ ପୁଷ୍ପାଳକ ସେବକ ମାନେ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି ।
ପୌରାଣିକ କଥାବସ୍ତୁ ଅନୁଯାୟୀ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ, ଏହି ବେଶରେ ପ୍ରଭୁ ଦର୍ଶନ ଦେଇଥିଲେ । ସେଥିପାଇଁ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି । ଏହି ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏକ ଛୋଟ ସ୍ୱର୍ଣ୍ଣ କିରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ ।
ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ପ୍ରଭୁ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ଦେବୀ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ ।
ଏହାମଧ୍ୟ ପଢନ୍ତୁ..ଶ୍ରୀମନ୍ଦିରରେ ପଞ୍ଚୁକ ନୀତି, ବାଙ୍କଚୂଡ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ
ଭୋଗ ମଣ୍ଡପ ଶେଷ ହେବାପରେ ଠାକୁରମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ କରିଥଲେ ଭକ୍ତ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଭକ୍ତ ଭାବ ବିହ୍ଵଳିତ ହୋଇପଡିଛନ୍ତି । ଅନ୍ୟପଟେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ଟାଉନ ଥାନା ଠାରୁ ଅସ୍ଥାୟୀ ବ୍ୟାରିକେଡ଼ରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ ।
ସେହିପରି ମର୍ଚ୍ଚିକୋଟ ଛକ ଠାରେ ପୁରୀ ପୌରସଂସ୍ଥା ପକ୍ଷରୁ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର, ବାହାର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୭ ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ଏଏସଆଇ ଓ ଏସଆଇଙ୍କ ସହ ୩ଶହରୁ ଉର୍ଦ୍ଧ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି ।
ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ୫୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ ଶ୍ରୀମନ୍ଦିର ପରିସରରେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ତେବେ ପଞ୍ଚୁକର ପ୍ରଥମ ଦିନରେ 1 ଲକ୍ଷ 75 ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ