ଓଡିଶା

odisha

ETV Bharat / state

ଆସିଲା ଶ୍ରୀମନ୍ଦିର ବଜେଟ, ବଢିଲା ରାଜାଙ୍କ ପାଉଣା - ଶ୍ରୀମନ୍ଦିର

ସରିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗୃହୀତ ହୋଇଛି ଆଗାମୀ ବର୍ଷ ପାଇଁ 102 କୋଟି ଟଙ୍କାର ବଜେଟ୍‌ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ବର୍ଷ ପାଇଁ ମୋଟ୍‌ 78 କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Mar 16, 2019, 12:16 AM IST

ପୁରୀ: ସରିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗୃହୀତ ହୋଇଛି ଆଗାମୀ ବର୍ଷ ପାଇଁ 102 କୋଟି ଟଙ୍କାର ବଜେଟ୍‌ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ବର୍ଷ ପାଇଁ ମୋଟ୍‌ 78 କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ତେବେ ଜମି ବିକ୍ରିରୁ 15 କୋଟି ଟଙ୍କା ଆୟ ନିର୍ଧାରଣ ହୋଇଥିବା ବେଳେ ରଥଯାତ୍ରା ପାଇଁ ମୋଟ 6 କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି | ଏଥିସହ ଗଜପତିଙ୍କ ବାର୍ଷିକ ଭତ୍ତାକୁ ମଧ୍ୟ 12 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ଜମି ବିକ୍ରି ପାଇଁ ସମାନ ନୀତି ଅନୁମୋଦିତ ହେବା ପରେ ଜମି ବିକ୍ରି ବାବଦରେ 100 କୋଟି ଟଙ୍କାର ଆୟ ବୃଦ୍ଧି ଯୋଜନା ରହିଥିବା ବେଳେ ଆସନ୍ତାବର୍ଷ 15 କୋଟି ଟଙ୍କା ଆୟ ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିରର ସ୍ଥାୟୀ ଜମାରାଶି 650 କୋଟି ଟଙ୍କା ରହିଥିବା ବେଳେ ଏହାକୁ 700 କୋଟି ଟଙ୍କାକୁ ବୃଦ୍ଧି ପାଇଁ ଉଦ୍ୟମ କରାଯିବାକୁ ମଧ୍ୟ ପ୍ରସ୍ତାବ ରଖାଯାଇଛି |

ଏହି ବଜେଟ୍‌ରେ ଗଜପତିଙ୍କ ମାସିକ ପାଉଣା 50ହଜାରରୁ 1 ଲକ୍ଷକୁ ବୃଦ୍ଧି କରାଯାଇଛି । ସେହିପରି ସେବାୟତଙ୍କ ପ୍ରାପ୍ୟ ପାଉଣା ବାବଦରେ 32 କୋଟି ଓ କର୍ମଚାରୀଙ୍କ ଦରମା ବାବଦକୁ 28 କୋଟି ଟଙ୍କାର ବ୍ୟୟ ବରାଦ ରହିଥିବା ବେଳେ ରାଜ୍ୟ ସରକାର ଶ୍ରୀମନ୍ଦିର କର୍ମଚାରୀଙ୍କ ଦରମା ଭରଣା କରିବା ପାଇଁ ପରିଚାଳନା କମିଟି ପ୍ରସ୍ତାବ ରଖିଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ବାବଦରେ ବାର୍ଷିକ ପ୍ରାୟ 4 କୋଟି ଟଙ୍କା ଆସୁଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯିବ ବୋଲି ବୈଠକରେ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର |

ଅନ୍ୟପଟେ ଜଗନ୍ନାଥ ବଲ୍ଲଭ ମଠର ଉନ୍ନତିକରଣ ପାଇଁ ନାଲ୍‌କୋ ଓ ରାଜ୍ୟ ସରକାର 56 କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେବାୟତ କଲ୍ୟାଣ ପାଇଁ 1 କୋଟି ଟଙ୍କାର ସ୍ଥାୟୀ ଜମା ରଖିବାକୁ ନିଷ୍ପତ୍ତି ହୋଇଛି | ତେବେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ଦୋଳ ପୂର୍ଣ୍ଣିମା ଓ ଅଗ୍ନି ଉତ୍ସବ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ 20 ତାରିଖ ଦିନ ମେଣ୍ଢା ପୋଡା ନୀତିକୁ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଶେଷ କରି ରାତି 12ଟା ସୁଦ୍ଧା ମହାପ୍ରଭୁଙ୍କ ପହୁଡ଼ କରାଯିବ । 21 ତାରିଖ ରାତ୍ର 3ଟା 30ରୁ ଦ୍ବାରଫିଟା ନୀତି ସମ୍ପନ୍ନ କରାଯାଇ ସକାଳ 8ଟାରୁ 9ଟା ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏହାପରେ ଦିନ 10ଟାରେ ଦୋଳ ଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ବିମାନକୁ ବିଜେ କରି ଦିନ 11ଟା ସୁଦ୍ଧା ଦୋଳବେଦୀ ବେଢ଼ା ପରିକ୍ରମା କରିବା ନେଇ ପରିଚାଳନା କମିଟି ନିଷ୍ପତ୍ତି ନେଇଛନ୍ତି |

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details