ପୁରୀ: କୋଣାର୍କ ଜୁଣେଇ ରାସ୍ତାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୋଣାର୍କ ବୁଲିବାକୁ ଆସିଥିବା ବେଳେ ଗୋଟିଏ ଯାତ୍ରାବାହୀ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯିବାରୁ ଏଥିରେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଖୁବ୍ ଗୁରୁତର ରହିଛି । ଆହତମାନେ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର । ସେମାନଙ୍କ ମଧ୍ୟରେ କିଛି ଶିଶୁ ଥିବାର ମଧ୍ୟ ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଗୋପ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ପରେ ଭୁବନେଶ୍ବର ୬ ନମ୍ବରକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ପରେ ଭ୍ୟାନ ଡ୍ରାଇଭର କୁଆଡେ ଫେରାର୍ ହୋଇଯାଇଛି ।
ଯାହା ସୂଚନା ମିଳିଛି,ଆଜି (ଶୁକ୍ରବାର) ଭୋର ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି ।ଦୁର୍ଘଟଣାଗ୍ରସ୍ତ ଭ୍ୟାନରେ ମୋଟ ୧୩ ଜଣ ଯାତ୍ରୀ ବସିଥିଲେ । ଆହତମାନଙ୍କ ଘରଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିରାହାଟ ଗାଁରେ ହୋଇଥିବା ବେଳେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ସେମାନେ ଗୋଟିଏ ୟୁଙ୍ଗର ଭ୍ୟାନରେ ପୁରୀ ଓ କୋଣାର୍କ ବୁଲିବାକୁ ଆସୁଥିଲେ । କୋଣାର୍କ ନିକଟ ଜୁଣେଇ ବଜାର ନିକଟରେ ଗାଡିଟି ଭାରସାମ୍ୟ ହରାଇ ପ୍ରଥମେ ଏକ ବରଗଛ ପିଟି ହେବା ପରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିଲେ । ତା' ଭିତରୁ ୪ ଜଣ ଗୁରୁତର ଅଛନ୍ତି । ତେବେ ଏହି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଭ୍ୟାନ ଡ୍ରାଇଭର ଫେରାର ହୋଇ ଯାଇଛି ।
ଏହା ମଧ୍ୟ ପଢନ୍ତୁ: ଦୁଆରଶୁଣୀ ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ