Group Clash Erupts In Puri Town ପୁରୀ: ସକାଳୁ ସକାଳୁ ସ୍ପଷ୍ଟ ଦିବା ଲୋକରେ ବଡଦାଣ୍ଡରେ ବୁଲିଲା ଖଣ୍ଡା । ଗୋଷ୍ଠୀ ସଂଘର୍ଷରୁ ବଡଦାଣ୍ଡର ମାର୍କେଟ ଛକରେ ହଣାହଣି । ସକାଳ ୬ଟା ୩୦ ମିନିଟରେ ବଡଦାଣ୍ଡରେ ରକ୍ତ ଛିଟା ପଡିଛି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ ଜଣ ଆହତ ହୋଇଥିବା ସୂଚନା । ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ରାତିରେ ଖଡ଼ିପଦା ମେଳଣରେ ଉଭୟ ଗୋଷ୍ଠୀ ଭିତରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଯାହା ଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ 6ଟା 30 ସମୟରେ ଗୋଟିଏ ଗୋଷ୍ଠୀର 17ରୁ 18 ଜଣ ଯୁବକ ମିଶି ପୁରୀ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ଅନ୍ୟଗୋଷ୍ଠୀର 3 ଜଣଙ୍କୁ ଅତି ନିର୍ମମ ଭାବରେ ହାଣିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଦଇତାପଡା ସାହିର ହୃଷିକେଶ ପଣ୍ଡା, ପଞ୍ଚଚୌରା ସାହିର ଖଗେଶ୍ୱର ସାହୁ ଓ ନୂଆପାଟଣା ଗଳିର ସମୀର ନାମକ ଯୁବକ ଆହତ ହେଇଛନ୍ତି । ତେବେ ମାର୍କେଟ ଛକ ଅଞ୍ଚଳଟି ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବଂ ଶ୍ରୀମନ୍ଦିର ଠାରୁ ମାତ୍ର 500 ମିଟର ମଧ୍ୟରେ ହୋଇଥିବା ବେଳେ ସେଠାରେ ପୋଲିସ ଟ୍ରାଫିକ ପ୍ରହରା ମଧ୍ୟ ରହିଥାଏ । ଏଭଳି ଅଞ୍ଚଳରେ ଖଣ୍ଡା ବୁଲିବା ଓ ଅପରାଧୀଙ୍କ ଆତଙ୍କ ରାଜକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ପୁରୀରେ ପୋଲିସର ଉପସ୍ଥିତି ଅଛିକି ନାହିଁ ବୋଲି ପୁରୀ ବାସିନ୍ଦା ଏବେ ପ୍ରଶ୍ନ କରିଛନ୍ତି ।
ପ୍ରକାଶଥାଉକି, ଗତ ଦୁଇଦିନ ତଳେ ଦୁଇ ସେବାୟତ ଗୋଷ୍ଠୀ ଗଣ୍ଡଗୋଳ ହୋଇ ଥିବାବେଳେ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଏହି ଘଟଣା 2 ଦିନ ବିତି ନ ଥିବା ବେଳେ ବଡ ଦାଣ୍ଡ ରେ ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ଖଣ୍ଡାରେ ଆକ୍ରମଣ ପୁରୀ ବାସିନ୍ଦାଙ୍କୁ ସ୍ତବ୍ଧ କରିଦେଇଛି । ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବା ବେଳେ ଜଗନ୍ନାଥ ଧାମରେ ଏଭଳି ରକ୍ତ ପାତ ହିଂସାକାଣ୍ଡ ଘଟଣା ଭକ୍ତ ଓ ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପକାଇବ ନିଶ୍ଚିତ । ପୋଲିସ୍ ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଦାବି ହୋଇଛି । ସେପଟେ ପୋଲିସ ତରଫରୁ ଛାନଭିନ୍ନ ଆରମ୍ଭ ହୋଇଥିବା ବେଳେ 2 ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୋଲିସ । ଅନ୍ୟପଟରେ ଘଟଣାର ତଦନ୍ତ ପାଇଁ 3ଟି ଟିମ ଗଠନ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଚଢାଉ ଜୋରଦାର କରିଥିବା ଅତିରିକ୍ତ ଏସ୍ପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ