ଓଡିଶା

odisha

ETV Bharat / state

ଚୂଡ଼ାନ୍ତ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ - ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ

Srimandir Niti Sub-Committee meeting: ଶ୍ରୀମନ୍ଦିର ନୀତି ସବ୍‌-କମିଟି ବୈଠକ ଅନୁଷ୍ଠିତ । ଚୂଡ଼ାନ୍ତ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ । ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ନୀତି ସବ୍‌-କମିଟି ବୈଠକ
Puri Jagannath Temple Niti Sub-Committee meeting

By ETV Bharat Odisha Team

Published : Dec 8, 2023, 6:00 PM IST

Puri Jagannath Temple Niti Sub-Committee meeting

ପୁରୀ: ମହାପ୍ରଭୁଙ୍କ ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନୀତି ସବ୍‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ପହିଲି ଭୋଗ ନୀତି କିଭଳି ଶୃଙ୍ଖଳିତ ଭାବେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ହୋଇପାରିବ, ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ସେବାୟତଙ୍କ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ ।ଆସନ୍ତା ଡିସେମ୍ବର ୧୬ ତାରିଖରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇ ଜାନୁଆରୀ ୧୪ ତାରିଖଯାଏଁ ଦୈନିକ ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିର ନୀତି ସବ୍‌-କମିଟି ବୈଠକର ଅନୁମୋଦନ ଅନୁଯାୟୀ ରାତି ୨ଟାରୁ ଦ୍ବାରଫିଟା, ୨ଟା ୪୫ରେ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି ବଢ଼ିବା ସହ ଭୋର ୫ ଘଣ୍ଟା ୨୦ ମିନିଟ୍‌ରୁ ୬ଟା ମଧ୍ୟରେ ପହିଲି ଭୋଗ ଓ ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ । ସେହିପରି ପରବର୍ତ୍ତୀ ନୀତି ନିର୍ଘଣ୍ଟ ଅନୁଯାୟୀ ହେବା ସହ ରାତି ୧୧ଟାରେ ରାତ୍ର ପହୁଡ଼ ହେବ ବୋଲି ନିଷ୍ପତ୍ତି ହୋଇଛି । ଅନ୍ୟପଟେ ନୀତି ସବ୍‌-କମିଟି ବୈଠକରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମ୍ପର୍କରେ ଆଲୋଚନା ହୋଇଥିଲା । ସାରା ଭାରତରୁ ବହୁ ସାଧୁସନ୍ଥ ଓ ବିଭିନ୍ନ ଧର୍ମପୀଠର ଗୁରୁମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବ । ସେହିପରି ନୂଆବର୍ଷରୁ ଭକ୍ତମାନେ କିଭଳି ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିବେ, ସେନେଇ ମଧ୍ୟ ବ୍ୟାପକ ସଚେତନତା କରାଯିବ । ତେବେ ଏହା ମଧ୍ୟରେ ଅଧିକାଂଶ ଭକ୍ତ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଆସୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏହା ମଧ୍ୟ ପଢ଼ନ୍ତୁ...କୌଣସି କାମରେ ମୋତେ ପଚାରୁନାହାଁନ୍ତି, ସୁପ୍ରିମକୋର୍ଟଙ୍କ ନିୟମ ମାନୁନାହାଁନ୍ତି: ଶଙ୍କରାଚାର୍ଯ୍ୟ

ସେହିପରି ମନ୍ଦିର ପରିସରରେ ପାନ, ଗୁଟଖା ଖାଇବା ନେଇ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ । ଶ୍ରୀମନ୍ଦିର ଭିତରେ ଏହାକୁ ସେବନ ନକରିବା ପାଇଁ ସେବାୟତଙ୍କୁ ଆହୁରି ସଚେତନ କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଉତ୍ତର ଦ୍ଵାରପଟେ ରାମ୍ପ ବ୍ୟବସ୍ଥା କରାଯାଇଥିବାବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଡିସେମ୍ବର ୩୧ ରବିବାର ପଡ଼ିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି । ସେଥିପାଇଁ ଗତ କାର୍ତ୍ତିକ ପୂର୍ଣ୍ଣିମା ଭଳି ଡିସେମ୍ବର ୩୧ ତାରିଖ ରାତିରେ ମଧ୍ୟ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନକରିବା ପାଇଁ ବିଚାର କରାଯାଉଥିବା ମୁଖ୍ୟ ପ୍ରଶାସକ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଆଜି ଅନୁଷ୍ଠିତ ନୀତି ସବକମିଟି ବୈଠକରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ ସହ ମକର ସଂକ୍ରାନ୍ତି ନୀତି ଓ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ମଧ୍ୟ ଚୂଡ଼ାନ୍ତ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details