ଓଡିଶା

odisha

ETV Bharat / state

ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଗର୍ଭଗୃହକୁ ଯାଉଛନ୍ତି ସେବାୟତ ! ଭକ୍ତଙ୍କ ଅସନ୍ତୋଷ

ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହୋଇପାରୁନି ପାରମ୍ପରିକ ଡ୍ରେସ୍ କୋଡ ବ୍ୟବସ୍ଥା । ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ସିଧାସଳଖ ଗର୍ଭଗୃହରେ ପଶୁଛନ୍ତି ସେବାୟତ । ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ମଧ୍ୟ ଏହି ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ସେବାୟତ ଓ ପ୍ରଶାସନିକ କର୍ମଚାରୀ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଡ୍ରେସ୍ କୋଡ ନିୟମ ଉଲ୍ଲଙ୍ଘନ
ଶ୍ରୀମନ୍ଦିରରେ ଡ୍ରେସ୍ କୋଡ ନିୟମ ଉଲ୍ଲଙ୍ଘନ

By

Published : Feb 12, 2023, 5:32 PM IST

Updated : Feb 12, 2023, 6:27 PM IST

ଶ୍ରୀମନ୍ଦିରରେ ଡ୍ରେସ୍ କୋଡ ନିୟମକୁ ଫୁ

ପୁରୀ: ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହୋଇପାରୁନି ପାରମ୍ପରିକ ଡ୍ରେସ୍ କୋଡ ବ୍ୟବସ୍ଥା । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ମଧ୍ୟ କେତେକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଏହି ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି । ଜିନ୍ ପ୍ୟାଣ୍ଟ ସହ ଅନ୍ୟାନ୍ୟ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଗର୍ଭଗୃହକୁ ସିଧାସଳଖ ପ୍ରବେଶ କରୁଛନ୍ତି । ଏହାଦ୍ବାରା ଶ୍ରୀମନ୍ଦିର ଭିତରର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଥିବା ବେଳେ ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ କୁପ୍ରଭାବ ପଡୁଥିବା ଅଭିଯୋଗ ହେଉଛି । ତେବେ ଏଭଳି ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିରରେ ଡ୍ରେସ୍ କୋଡ଼ ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଦାବି ହୋଇଛି ।

ଗତ ୨୦୨୧ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଡ୍ରେସ୍ କୋଡ଼ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ଏ ସମ୍ପର୍କରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମରେ ସୂଚନା ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସେବାୟତଙ୍କ କ୍ଷେତ୍ରରେ ୨୦୨୧ ଅକ୍ଟୋବର ୨୧ ତାରିଖ କୁମାର ପୂର୍ଣ୍ଣିମା ଠାରୁ ଏହି ନିୟମ ଲାଗୁ କରାଯାଇଥିଲା । ଧୋତି, ପାଟ ଆଦି ପାରମ୍ପରିକ ପୋଷାକ ପରିଧାନ କରି ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରିବେ ବୋଲି ନିୟମ ହେଲା । ସେହିପରି ୨୦୨୧ ଦୀପାବଳୀ ପରଠାରୁ ଅର୍ଥାତ୍ ନଭେମ୍ବର ୫ରୁ ଶ୍ରୀମନ୍ଦିର କର୍ମଚାରୀ, ଜେଟିପିମାନେ ମଧ୍ୟ ଭିତର କାଠରୁ ରତ୍ନସିଂହାସନ ପର୍ଯ୍ୟନ୍ତ ପାରମ୍ପରିକ ପୋଷାକ ପରିଧାନ କରି ପ୍ରବେଶ ପାଇଁ ନିୟମ ହୋଇଥିଲା । ପରେ ଭକ୍ତଙ୍କ କଥାକୁ ବିଚାରକୁ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ବଦଳି ପରେ ଏହି ନିଷ୍ପତ୍ତି ଆଉ କାର୍ଯ୍ୟକାରୀ ହୋଇପାରୁନାହିଁ ।

ଏହାରି ଭିତରେ ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । କିନ୍ତୁ ଏହି ଡ୍ରେସ୍ କୋଡ଼ ନିଷ୍ପତ୍ତିର ସଠିକ୍ କାର୍ଯ୍ୟକାରିତା ଉପରେ ଥରୁଟିଏ ମାତ୍ର ଅନୁଧ୍ୟାନ ହୋଇନାହିଁ । ଭାରତର ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଥିବା ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ଭକ୍ତମାନେ ପାଶ୍ଚାତ୍ୟ ପୋଷାକ ପରିଧାନ କରିବା ଉପରେ କଟକଣା ଜାରି କରିବା ଆବଶ୍ୟକ ବୋଲି ଭକ୍ତ ମହଲରେ ମତ ପ୍ରକାଶ ପାଇଛି । ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ଯେ, ଏହି ଡ୍ରେସ୍ କୋଡ୍‌ ବ୍ୟବସ୍ଥା କିଭଳି ସଠିକ୍ ଭାବେ ଲାଗୁ ହୋଇପାରିବ ସେନେଇ ଆଗାମୀ ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ।

ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନେକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ କିଛି ବିଶୃଙ୍ଖଳିତ ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀ ଏହି ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରି ମହାପ୍ରଭୁଙ୍କ ପରମ୍ପରାକୁ କ୍ଷୁର୍ଣ୍ଣ କରୁଛନ୍ତି । ତେବେ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ହେଲେ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଏବଂ ଭକ୍ତମାନେ ପାଶ୍ଚାତ୍ୟ ପୋଷାକ ଛାଡି ଭାରତର ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ କରିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।‌

ଇଟିଭି ଭାରତ, ପୁରୀ

Last Updated : Feb 12, 2023, 6:27 PM IST

ABOUT THE AUTHOR

...view details