ଓଡିଶା

odisha

ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ଲାଗି ସେବାୟତଙ୍କ ଦାବି, ପ୍ରକଳ୍ପ ଶେଷ ପରେ ନିଷ୍ପତ୍ତି ନିଆଯିବ କହିଲେ ଜିଲ୍ଲାପାଳ

By

Published : Jul 24, 2023, 4:10 PM IST

Updated : Jul 24, 2023, 4:29 PM IST

କେବଳ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବା ପରେ ସମସ୍ତ ଭକ୍ତଙ୍କ ଲାଗି ୪ ଦ୍ବାର ଖୋଲିବା ଲାଗି ଦାବି କଲେ ସେବାୟତ । ଅଧିକ ପଢନ୍ତୁ

Etv Bharat
Etv Bharat

ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ଲାଗି ସେବାୟତଙ୍କ ଦାବି, ପ୍ରକଳ୍ପ ଶେଷ ପରେ ନିଷ୍ପତ୍ତି ନିଆଯିବ କହିଲେ ଜିଲ୍ଲାପାଳ

ପୁରୀ: ବିଭିନ୍ନ ମହଲରୁ ଶ୍ରୀମନ୍ଦିର ୪ ଦ୍ବାର ଲାଗି ଦାବି ପରେ ଆଜି ପୁରୀବାସୀଙ୍କ ଲାଗି ଖୋଲିଛି ପଶ୍ଚିମ ଦ୍ବାର । ହେଲେ ଭକ୍ତଙ୍କ ଲାଗି ୪ ଦ୍ବାର ଖୋଲିବା ଲାଗି ଦାବି କରିଛନ୍ତି ସେବାୟତ । କେବଳ ପୁରୀ ବାସିନ୍ଦାଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବା ଠିକ୍ ନୁହେଁ । ମହାପ୍ରଭୁଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବାକୁ ବରିଷ୍ଠ ସେବାୟତ ନବକିଶୋର ପତି ମହାପାତ୍ର କହିଛନ୍ତି । ସେପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ୪ ଦ୍ବାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଆଜି ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଖୋଲିଛି । ପୁରୀ ବାସିନ୍ଦା ଆଧାର କାର୍ଡ ଦେଖାଇ ପଶ୍ଚିମ ଦ୍ବାର ପଟେ ପ୍ରବେଶ କରୁଛନ୍ତି । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ସମସ୍ତ ଭକ୍ତଙ୍କ ଲାଗି ୪ ଦ୍ବାର ଖୋଲିବା ଲାଗି ସେବାୟତ ମହଲରେ ଦାବି ହୋଇଛି । କେବଳ ସିଂହ ଦ୍ଵାର ଦେଇ ଭକ୍ତଙ୍କୁ ପ୍ରଵେଶ ଅନୁମତି ଥିବାରୁ ସିଂହଦ୍ଵାରରେ ପ୍ରବଳ ଭିଡ଼ ହେଉଛି । ଖରା, ବର୍ଷାରେ ଭକ୍ତମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଛନ୍ତି । ଏହା ବେଶ କଷ୍ଟଦାୟକ। ବୟସ୍କ ବ୍ୟକ୍ତି, ଛୋଟ ପିଲାମାନେ ବେଶ ଅସୁବିଧା ଭୋଗୁଛନ୍ତି। କେତେକ ଭକ୍ତ ମଧ୍ୟ ପ୍ରବଳ ଭିଡ଼କୁ ଦେଖି ମହାପ୍ରଭୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ନକରି ଫେରି ଯାଉଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଚାରି ଦ୍ଵାରରେ ପ୍ରବେଶ ଅନୁମତି ଦେବାକୁ ଦାବି

ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଥିବା ବେଳେ ପ୍ରତିଦିନ ହଜାର ହଜାର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରି ଆନନ୍ଦ ବଜାରରେ ଅବଢ଼ା ସେବନ କରି ଫେରୁଥିଲେ । ହେଲେ ତାହା ଆଜି ନାହିଁ । ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ଟିକେ ପାଇବା ପାଇଁ ଭକ୍ତମାନେ ବେଶ କଷ୍ଟ ଭୋଗୁଛନ୍ତି । ହେଲେ ଦୁଃଖର ବିଷୟ ଶ୍ରୀମନ୍ଦିର ପରିଚାଳନାରେ ଥିବା ବରିଷ୍ଠ ଅଧିକାରୀ ଏହା ଜାଣିପାରୁନାହାନ୍ତି । ଭକ୍ତ ହିଁ ଭଗବାନଙ୍କ ମୁଖ୍ୟ । ଏଣୁ ଭକ୍ତମାନେ କିଭଳି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେ ବ୍ୟବସ୍ଥା ପ୍ରଶାସନ କରିବା ସହ ଶ୍ରୀମନ୍ଦିର ଚାରି ଦ୍ଵାର ସବୁ ଭକ୍ତଙ୍କ ପ୍ରଵେଶ ପାଇଁ ଖୋଲିବାକୁ ସେ ଦାବି କରିଛନ୍ତି ।

ବରିଷ୍ଠ ସେବାୟତ କାଶୀନାଥ ଖୁଣ୍ଟିଆ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଚାରି ଦ୍ଵାରରେ ପ୍ରବେଶର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ପୂର୍ବ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାରକୁ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ଵାର କୁହାଯାଏ । ପ୍ରତ୍ୟେକ ଭକ୍ତ କିଛି ନା କିଛି ମାନସିକ ନେଇ ଆସିଥିବା ବେଳେ ନିଜ ମାନସିକ ଅନୁଯାୟୀ ସେହି ଦ୍ବାରରେ ପ୍ରବେଶ କରିଥାନ୍ତି । ଏହାଦ୍ବାରା ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ହେଲେ ଉଚ୍ଚ ବରିଷ୍ଠ ଅଧିକାରୀମାନେ ଏହା ନବୁଝି ପାରିବା ଦୁଃଖର ବିଷୟ। ଜଗନ୍ନାଥ ମନ୍ଦିରର ପରମ୍ପରାକୁ ଗୁରୁତ୍ଵ ନଦେଇ କେବଳ ପ୍ରଶାସନର ସୁବିଧା ପାଇଁ ସିଂହଦ୍ବାରକୁ ଛାଡ଼ି ସବୁ ଦ୍ଵାରରେ ପ୍ରବେଶ କଟକଣା ଲଗାଇବା ଠିକ୍ ନୁହେଁ ବୋଲି ଖୁଣ୍ଟିଆ କହିଛନ୍ତି ।

ପୂର୍ବକାଳରୁ ରାଜା ମହାରାଜାମାନେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଚାରି ଦ୍ଵାର କରିଥିଲେ । ତେବେ ପ୍ରଶାସନ ଭକ୍ତଙ୍କ ସ୍ବାର୍ଥ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବାକୁ ବରିଷ୍ଠ ସେବାୟତ କାଶୀନାଥ ଖୁଣ୍ଟିଆ ଦାବି କରିଛନ୍ତି । ସେହିପରି ସେବାୟତ ସୋମନାଥ ଖୁଣ୍ଟିଆ ମଧ୍ୟ ପୁରୀ ପ୍ରଶାସନର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ସବୁ ସମାନ । କେବଳ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ଵାର ଖୋଲି ଅନ୍ୟ ଭକ୍ତଙ୍କ ପାଇଁ କଟକଣା ରଖିବା ଠିକ୍ ନୁହେଁ । ସବୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ସେବାୟତ ସୋମନାଥ ଖୁଣ୍ଟିଆ ଦାବି କରିଛନ୍ତି ।

ଅନ୍ୟପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କହିବା କଥା ପୁରୀ ବାସିନ୍ଦାଙ୍କ ଦାବିକୁ ବିଚାରକୁ ନିଆଯାଇ ପଶ୍ଚିମ ଦ୍ବାର କେବଳ ପୁରୀ ବାସିନ୍ଦାଙ୍କ ପାଇଁ ଖୋଲାଯାଇଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ଦକ୍ଷିଣ ଦ୍ବାର, ଉତ୍ତର ଦ୍ଵାର ଖୋଲିବା ନେଇ ନିଷ୍ପତ୍ତି ହୋଇନି । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଉତ୍ତର, ଦକ୍ଷିଣ ଦ୍ବାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 24, 2023, 4:29 PM IST

ABOUT THE AUTHOR

...view details