ପୁରୀ: ଗଭୀର ଜଳରାଶିକୁ ମାଛ ମାରିବାକୁ ଗଲେ ଆଉ ଅସୁବିଧାର ସମ୍ମୁଖୀନ ହେବେନି ଧୀବର । ରାଜ୍ୟ ସରକାର ଏବଂ ଇଫକୋର ମିଳିତ ସହଯୋଗରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଆରମ୍ଭ ହେଲା ସିକ୍ୟୋର ଫିସିଂ ଆପ (Secure Fishing App) । ପୁରୀ ପେଣ୍ଠକଟା ସ୍ଥିତ କମ୍ୟୁନିଟି ସେଣ୍ଟରରେ ମତ୍ସ୍ୟଜୀବୀମାନଙ୍କୁ ଏହି ଆପର ବ୍ୟବହାର ବିଷୟରେ ତାଲିମ ଦିଆଯାଇଛି । ପାଣିପାଗ ହେଉ କି ପବନର ଗତିବିଧି, ଏଣିକି ସମସ୍ତ ପ୍ରକାର ସୂଚନା ପାଇପାରିବେ ମତ୍ସଜୀବୀ । ତେବେ ପ୍ରାଥମିକ ଭାବେ ଏହି ଆପରେ ଇଂରାଜୀ ଓ ଓଡ଼ିଆ ଭାଷା ଥିବାବେଳେ ତେଲଗୁ ଭାଷା ସମେତ ଅନ୍ୟ ଭାଷା ଯୋଡିବା ପାଇଁ ମତ୍ସ୍ୟଜୀବୀ ମାନେ ଅନୁରୋଧ କରିଛନ୍ତି। ଏଭଳି ଆପ୍ ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ବେଶ୍ ସହାୟତା କରିବ ବୋଲି ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି।
ସିକ୍ୟୋର ଫିସିଂ ଆପରେ ରହିଛି ଏହି ସୁବିଧା
ମତ୍ସ୍ୟଜୀବୀମାନେ ପାଣିପାଗ ଠାରୁ ଆରମ୍ଭ କରି ପବନର ଗତିବିଧି, ସମୁଦ୍ରରେ ମତ୍ସ୍ୟ ବହୁଳ ସ୍ଥାନ ନିରୂପଣ ଏବଂ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସତର୍କ ସୂଚନା ପଠାଇପାରିବେ । ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଯୋଜନା, ବଜାର ମାଛର ବିଭିନ୍ନ ଦର ମଧ୍ୟ ଜାଣିହେବ । ଏହି ଆପ ଜରିଆରେ ଅଧିକାରୀମାନେ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିପାରିବେ । ସମୁଦ୍ର ମଝିରେ ନେଟୱର୍କ ନଥିଲେ ମଧ୍ୟ ଜିପିଏସ୍ ମାଧ୍ୟମରେ ଏହି ଆପ୍ ଦ୍ବାରା ମତ୍ସ୍ୟଜୀବୀମାନେ କେଉଁଠାରେ ଅଛନ୍ତି ତାହା ମଧ୍ୟ ଜଣାପଡିବ। ମତ୍ସ୍ୟଜୀବୀମାନେ ମଧ୍ୟ ଆବଶ୍ୟକ ସ୍ଥଳେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶେଷଜ୍ଞଙ୍କ ସହାୟତା ନେବା ପାଇଁ ଏହି ଆପ୍ ଯୋଗେ ଫୋନ୍ କଲ୍ ଏବଂ ମେସେଜ୍ ଚାଟିଙ୍ଗର ବ୍ୟବସ୍ଥା ରହିଛି ।