ଓଡିଶା

odisha

ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ୪ଟାରୁ ରଥଟଣା ଆରମ୍ଭ

By

Published : Jun 19, 2023, 2:29 PM IST

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ସରିଛି । ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା । ଅଧିକ ପଢନ୍ତୁ

schedule released for ratha yatra
schedule released for ratha yatra

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରାତି ପାହିଲେ ଘୋଷଯାତ୍ରା । ରତ୍ନବେଦୀରୁ ଓହ୍ଲାଇ ଭକ୍ତ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତେ । ଭାଇ ଉଭଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଅଭିମୁଖେ ଯାତ୍ରା କରିବେ ଜଗତରନାଥ ଜଗନ୍ନାଥ । ସେଥିପାଇଁ ସଭିଏଁ ପ୍ରସ୍ତୁତ । ଏପଟେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ସରିଛି । ପ୍ରାତଃ ୬ଟାରେ ମଙ୍ଗଳ ଆଳତି କରାଯିବ । ୬.୧୦ରେ ମଇଲମ, ୬.୩୦ ତଡ଼ପ ଲାଗି, ୬.୨୦ରେ ରୋଷ ହୋମ, ୭.୦୦ରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ବାରପାଳ ପୂଜା, ୭.୩୦ରେ ବେଶ ଶେଷ ହେବ । ସେହିପରି ସକାଳ ୮ଟାରୁ ୯ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଲାଗି) ପରେ ୯ଟାରେ ରଥ ପ୍ରତିଷ୍ଠା ହେବ ।

schedule released for ratha yatra

ସେହିପରି ୯.୧୫ରେ ମଙ୍ଗଳାର୍ପଣ , ୯.୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨.୩୦ରେ ପହଣ୍ଡି ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ସାଢେ ୩ଟା ପର୍ଯ୍ୟନ୍ତ ଗଜପତି ମହାରାଜ ତିନି ରଥରେ ଛେରାପହଁରା କରିବେ । ଏହାପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ପରେ ୪ଟାରୁ ରଥ ଟଣା ଆରମ୍ଭ ହେବ । ରଥ ଟଣା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାମ । ତିନି ରଥରେ କଳସ, ଓଲଟ ସୁଆ ସ୍ଥାପନ ପରେ ରଥ ଚାରିପାଖରେ ହଂସ ପଟା ବଡ଼ିଆ ଶେଷ ହୋଇ ଦୁଆର ବେଢାମାନଙ୍କରେ କନା ପଡିବା କାର୍ଯ୍ୟ ଆରମ୍ଭ କରାଯାଇଛି । ସେପଟେ ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି ।

ସେହିପରି ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି ହଜାର ହଜାର ଭକ୍ତ । 14 ଦିନ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ସକାଳ 8ଟାରୁ କାଳିଆର ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା । କାଳିଆର ଗୋଟିଏ ଝଲକ ପାଇଁ ଆତୁର ଥିବା ଭକ୍ତ ଭାବ ବିହ୍ବଳ ହୋଇଥିଲା । ସିଏ ଅପୂର୍ବ ତାର ଲୀଳା ଅପୂର୍ବ ତା ଚକା ଆଖିକୁ ଦେଖି ଭିଜିଥିଲା ଭକ୍ତର ଆଖି । ନବଯୌବନ ବେଶ ଦେଖି ଭକ୍ତ ଆତ୍ମ ବିଭୋର ହୋଇଛନ୍ତି । ଅଣସର ତାଟି ଘର ଫିଟିବା ପରେ ସକାଳ 8ଟାରୁ କାଳିଆ ସାଆନ୍ତେଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା । ଏହା ପୂର୍ବାହ୍ନ 11ଟା ଯାଏଁ ଚାଲିଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରି ସାହାଣ ମେଳା ଦର୍ଶନ କରିଛନ୍ତି । 15 ଦିନ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତ ଭାବ ବିହ୍ଵଳ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details