ପୁରୀ: ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରଥଯାତ୍ରା ଆୟୋଜନ ନେଇ ତୁରନ୍ତ ରାଜ୍ୟ ସରକାର ବ୍ୟବସ୍ଥା କରିବାକୁ ସେବାୟତମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଶ୍ରୀମନ୍ଦିର ସମ୍ମୁଖରେ ନୀରବ ପ୍ରତିବାଦ ମଧ୍ୟ କରାଯାଇଥିଲା ।
କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ହେବା ଠିକ୍ ନୁହେଁ ବୋଲି କୁହାଯାଇଛି । ବିନା ଭକ୍ତରେ କଟକଣା ସହିତ ରଥଯାତ୍ରା ଆୟୋଜନ ନେଇ ଦାବି ବଢ଼ିବାରେ ଲାଗିଛି । ଅନ୍ୟପଟେ ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ସିଧାସଳଖ ଗଜପତି ମହାରାଜ ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରଥଯାତ୍ରାରେ 10 ରୁ 12 ଲକ୍ଷ ଲୋକ ହେବା ନେଇ ଭୂଲ ତଥ୍ୟ ଦେଇଥିବା ଯୋଗୁଁ ସୁପ୍ରିମକୋର୍ଟ ଏଭଳି କଡା ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ରଥଯାତ୍ରା ବନ୍ଦ ପ୍ରସଙ୍ଗ: ରାଜ୍ୟ ସରକାର ଓ ଗଜପତି ମହାରାଜଙ୍କ କଡା ସମାଲୋଚନା ସେହିପରି ରଥଯାତ୍ରା ଅୟୋଜନ ନେଇ ଗଜପତିଙ୍କୁ ରାଜ୍ୟ ସରକାର ମୁଖ୍ୟ ଦାୟିତ୍ୱ ଦେଇଥିବା ବେଳେ ଗଜପତି ମହାରାଜ ସଠିକ ଭାବେ ଏହାକୁ ପରିଚାଳନା କରିପାରିନଥିବା ହେତୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦେଇ ରଥଯାତ୍ରା ଆୟୋଜନ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ ସେ ଦାବି କରିଛନ୍ତି । ସେବାୟତ ଓ ପୋଲିସ ମାନଙ୍କ ସାହାଯ୍ୟରେ କେବଳ ରଥଟଣା ବିନା ଭକ୍ତରେ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ତେବେ ରଥଯାତ୍ରାର କୌଣସି ବିକଳ୍ପ ନାହିଁ ଓ ମନ୍ଦିର ଭିତରେ ଏହା ଅୟୋଜନ ହୋଇପାରିବନାହିଁ । ଯଦି ସୁପ୍ରିମକୋର୍ଟ ରଥଯାତ୍ରା ଅୟୋଜନ ନେଇ କୌଣସି ଅନୁମତି ନଦିଅନ୍ତି ତେବେ ତିନି ରଥରେ ରଥଯାତ୍ରା ନୀତି ହେବ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ଏଥିସହ ରଥଯାତ୍ରା ଆୟୋଜନକୁ ବନ୍ଦ କରିବା ନେଇ ସେ ରାଜ୍ୟ ସରକାରଙ୍କ ଭିତିରି ଉଦ୍ଦେଶ୍ୟକୁ କଡା ସମାଲୋଚନା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ