ପୁରୀ: ପୀଢ଼ି ପରେ ପୀଢ଼ି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ରୂପକାର ସେବକ । ରଥଯାତ୍ରା ଆସିଲେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ନ୍ତି ଏହି ରୂପକାର ସେବକ । ତେବେ ସେବାକୁ ବଞ୍ଚାଇ ରଖିବାକୁ ରୂପକାର ସେବକ ମାନେ ନିଜ ଘରର ଛୋଟ ଛୋଟ ପିଲା ମାନଙ୍କୁ ରଥଖଳାକୁ ଆଣି କାଠରେ ବିଭିନ୍ନ ଖୋଦେଇ କାର୍ଯ୍ୟ ଶିଖାଇଥାନ୍ତି। ୫ବର୍ଷ ବୟସରୁ ଛୋଟ ପିଲାଙ୍କୁ ଏହି ଶିକ୍ଷା ଦିଆଯାଏ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଚାଲି ଆସୁଥିବା ବେଳେ ଛୋଟ ପିଲାମାନେ ମଧ୍ୟ ମହାପ୍ରଭୁଙ୍କ ଏହି ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇ ସେବା କରୁଥିବାରୁ ନିଜକୁ ଭାଗ୍ୟବାନ ମନେ କରନ୍ତି।
ଖେଳକୁଦ ବୟସରେ ହାତରେ ପାରମ୍ପରିକ ମୁଗୁର, ବଟାଳି, ନିହଣ, କିଆଁଶା ଓ ଖଲ ଧରି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ଏହି କୁନି କୁନି ରୂପକାର ସେବକ ମାନେ। ମାତ୍ର ୫ ବର୍ଷ ବୟସରୁ ଏମାନଙ୍କୁ ରଥଖଳାକୁ ଅଣାଯାଇ କାଠ ଉପରେ କିଭଳି ଖୋଦେଇ କାର୍ଯ୍ୟ କରାଯାଏ ସେନେଇ ପ୍ରଶିକ୍ଷଣ ଦିଆଯାଏ। ଏହି କୁନି ରୂପକାର ସେବକଙ୍କର ବାପା, ଜେଜେବାପା, ଦାଦା ଓ ବଡବାପା ମାନେ ଉପସ୍ଥିତ ରହି ବିଭିନ୍ନ ଖୋଦେଇ କାର୍ଯ୍ୟ କୋଣଗୁଜ, ପଟ୍ଟାଗୁଜ, ସିଂହ ବିରାଳ, ନର ବିରାଳ, ପ୍ରଭା ଆଦି ରଥର ବିଭିନ୍ନ ଅଂଶର ଖୋଦେଇ କାର୍ଯ୍ୟ ନିଜର ପରବର୍ତ୍ତୀ ଦାୟାଦଙ୍କୁ ଶିକ୍ଷା ଦେଉଛନ୍ତି।
ରୂପକାର ସେବକଙ୍କ କହିବାକଥା ସେମାନେ ମଧ୍ୟ ପିଲା ଦିନୁ ଏଭଳି ଶିକ୍ଷା ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଆଗାମୀ ଦିନରେ ଯେଭଳି କୌଣସି ବାଧା ନଉପଜେ ତାହାକୁ ଦୃଷ୍ଟିରେ କୁନି ରୂପକାର ସେବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସେହିପରି କୁନି ରୂପକାର ସେବକ ଓମ୍ ପ୍ରକାଶ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ମାତ୍ର ୫ବର୍ଷ ବୟସରେ ରଥଖଳାକୁ ଆସି ରଥରେ ହେଉଥିବା ବିଭିନ୍ନ ଖୋଦେଇ କାର୍ଯ୍ୟର କଳାକୌଶଳ ଶିକ୍ଷା ଗ୍ରହଣ କରିଥିଲେ ।